Latest Odisha News

ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ କରି ସଶସ୍ତ୍ର ଡକାୟତି

ବାଲେଶ୍ୱର: ସୋର ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ କରି ସଶସ୍ତ୍ର ଡକାୟତମାନେ ଘରୁ ୭ ଲକ୍ଷରୁ ଅଧିକ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ବାହାନଗା ଅଞ୍ଚଳର ଜୁଆଣିଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଶାନ୍ତିଲତା ଗୁପ୍ତା ନାମକ ଜଣେ ମହିଳା ଘରେ ଏକୁଟିଆ ଥିବା ବେଳେ ଏହି ଘଟଣା ଘଟିଥିଲା। ତାଙ୍କ ପୁଅ ରାଜକିଶୋର ପତ୍ନୀଙ୍କୁ ନେବା ପାଇଁ ବାଲେଶ୍ୱର ରେଳ ଷ୍ଟେସନକୁ ଯାଇଥିଲେ।
ଦୁର୍ବୃତ୍ତମାନେ ପାଚେରୀ ଡେଇଁ ଘର ଭିତରକୁ ପଶିଥିଲେ। ସେମାନେ ଗୁପ୍ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।

ଲୁଟେରାମାନେ ପୂରା ଘରକୁ ଖାନତଲାସି କରି ସମସ୍ତ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ପ୍ରାୟ ୭ ଲକ୍ଷ ଟଙ୍କା ଓ ୧୦୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଲୁଟି ନେଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।

ଗୁପ୍ତାଙ୍କ ପୁଅ ଓ ବୋହୂ ଘରେ ପହଞ୍ଚିବା ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଅଚେତ ଅବସ୍ଥାରେ ଦେଖି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.