Latest Odisha News

BREAKING NEWS

ବାଂଲାଦେଶରେ ହେବାକୁ ଯାଉଛି ବଡ଼ ହଲଚଲ୍ !

ନୂଆଦିଲ୍ଲୀ: ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ବକାର ଉଜ୍ ଜମା ଓ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମୋହମ୍ମଦ ୟୁନୁସଙ୍କ ମଧ୍ୟରେ ମତଭେଦ ସାମନାକୁ ଆସିଛି । ଦେଶରେ ଯଥାଶୀଘ୍ର ସାଧାରଣ ନିର୍ବାଚନ କରିବା, ସେନା ମାମଲାରେ ହସ୍ତକ୍ଷେପ ନକରିବା ସହ ରଖାଇନ୍ କରଡର ପରି ପ୍ରମୁଖ ପ୍ରସଙ୍ଗରେ ସେନାକୁ ସୂଚନା ଦେବା ପାଇଁ ସେନା ମୁଖ୍ୟ ୟୁନୁସଙ୍କୁ କହିଛନ୍ତି । ଅନ୍ତରୀଣ ସରକାରଙ୍କୁ ଡିସେମ୍ବର ମଧ୍ୟରେ ନିର୍ବାଚନ କରିବାକୁ ପଡିବ ବୋଲି ଢାକାରେ କହିଛନ୍ତି ଜେନେରାଲ ବକାର । ଗତବର୍ଷ ଅଗଷ୍ଟରେ ଶେଖ୍ ହସିନା କ୍ଷମତାରୁ ବିଦା ହେବା ପରେ ନିରପେକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି କରିବାକୁ ଅନ୍ତରୀଣ ସରକାରର ସ୍ଥାପନା କରିଥିଲେ ।

ସେନା ମୁଖ୍ୟଙ୍କୁ ପଦରୁ ହଟାଇବାକୁ ଚାହୁଁଛନ୍ତି ୟୁନୁସ!

ବାଂଲାଦେଶରେ ଯଥାଶୀଘ୍ର ନିର୍ବାଚନ କରାଇବାକୁ ଚାହୁଁଛନ୍ତି ସେନା ମୁଖ୍ୟ ଜେନେରାଲ ବକାର । ତେବେ ଏହାକୁ ନେଇ ବିନା ଜନାଦେଶରେ କ୍ଷମତାରେ ରହିବାକୁ ଚାହୁଁଥିବା ୟୁନୁସଙ୍କ ସହ ତାଙ୍କର ବିବାଦ ବଢିବାରେ ଲାଗିଛି । ଏପରିକି ବିଦେଶୀ ଶକ୍ତିର ସହଯୋଗରେ ଜେନେରାଲ ବକାରଙ୍କ ବିରୋଧରେ ପ୍ରଦର୍ଶନ କରାଇ ତାଙ୍କୁ ପଦରୁ ହଟାଇବାକୁ ୟୁନୁସ ଉଦ୍ୟମ କରୁଥିବା ସନ୍ଦେହ କରାଯାଉଛି । ତିନି ସେନା ସହ ମିଶି ଶକ୍ତି ପ୍ରଦର୍ଶନ କରିବା ସହ ୟୁନୁସଙ୍କୁ ବଡ଼ ସନ୍ଦେଶ ଦେଇଛନ୍ତି ଜେନେରାଲ ବକାର । ସେନାକୁ ସୁରକ୍ଷା ଓ ପ୍ରତିରକ୍ଷା ସଂପର୍କିତ ରାଷ୍ଟ୍ରୀୟ ମାମଲାରେ ଅନ୍ଧାରରେ ରଖାନଯାଉ । ସେନା ଅରାଜକତା ଓ ଅବ୍ୟବସ୍ଥାକୁ ବରଦାସ୍ତ କରିବନି ବୋଲି ସନ୍ଦେଶ ଦେଇଛନ୍ତି ।

ଆମେରିକାକୁ ଖୁସ୍ କରିବାକୁ ରଖାଇନ୍ କରିଡର !

ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ମିଆଁମାର ଫେରାଇବା ପାଇଁ ରଖାଇନ୍ କରିଡର ବନାଇବାକୁ ଯାଉଥିବା ୟୁନୁସ କହୁଛନ୍ତି । ତେବେ ଆମେରିକା ମିଆଁମାରରେ ଜୁଣ୍ଟା ବିରୋଧରେ ଲଢୁଥିବା ଆରାକାନ ଆର୍ମିକୁ କରିଡର ମାଧ୍ୟମରେ ହତିଆର ପଠାଇବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି । ଏହାକୁ ବାଂଲାଦେଶ ସେନା ବିରୋଧ କରୁଛି । ଆମେରିକାକୁ ଖୁସି କରିବାକୁ ଯାଇ ୟୁନୁସ କରିଡର ବନାଇବାକୁ ଚାହୁଁଛନ୍ତି । କାରଣ ଏଭଳି ହେଲେ ବିନା ନିର୍ବାଚନରେ ଦେଶ ଚଳାଇବାରେ ତାଙ୍କର ସହାୟତା କରିପାରେ ଆମେରିକା । ବାଂଲାଦେଶର ପ୍ରମୁଖ ରାଜନୈତିକ ଦଳ ରଖାଇନ କରିଡରକୁ ବିରୋଧ କରୁଛନ୍ତି । ଆମେରିକା ନାଗରିକ ଖଲିଲୁର ରେହମାନଙ୍କୁ ବାଂଲାଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା କରିବାକୁ ନେଇ ବି ଜେନେରାଲ ବକାର ଓ ୟୁନୁସଙ୍କ ମଧ୍ୟରେ ମତଭେଦ ରହିଛି । ରଖାଇନ୍ କରିଡର ପଛରେ ଖଲିଲୁର ରହମାନ ରହିଥିବା କୁହାଯାଉଛି । ରହମାନଙ୍କ ନିଯୁକ୍ତି ପରେ ଲେଫ୍ଟେନାଣ୍ଟ ଜେନେରାଲ କମରୁଲ ହସନଙ୍କୁ ୟୁନୁସ ପଦୋନ୍ନତି ଦେବା ସହ ସେ ଜେନେରାଲ ବକାରଙ୍କ ସ୍ଥାନ ନେଇପାରନ୍ତି ବୋଲି ବି ଚର୍ଚ୍ଚା ହୋଇଥିଲା ।

କ୍ଷମତାରେ ରହିବାକୁ ବଡ଼ ପ୍ଲାନ୍ !

ଜୁଲାଇ-ଅଗଷ୍ଟ କ୍ରାନ୍ତିକୁ ଆଖିରେ ରଖି ଦେଶ ଚଳାଇବା ନେଇ ନିକଟରେ ୟୁନୁସଙ୍କ ଛାତ୍ର ଓ ଯୁବ ବ୍ରିଗେଡ ଦାବି କରିଥିଲେ । ଏଥିରୁ ସେନା ମୁଖ୍ୟଙ୍କୁ ପଦରୁ ହଟାଇବାକୁ ଉଦ୍ୟମ ହୋଇପାରେ ବୋଲି ସନ୍ଦେହ କରାଯାଉଛି । କିଛି ଦିନ ତଳେ ଗଠିତ ନ୍ୟାସନାଲ ସିଟିଜେନ୍ସ ପାର୍ଟି ୧୯୭୨ର ଧର୍ମନିରପେକ୍ଷ ସମ୍ବିଧାନକୁ ପ୍ରଭାବଶୂନ୍ୟ କରିବାକୁ ଦାବି କରୁଛି । ସେଭଳି ହେଲେ ବିନା ନିର୍ବାଚନରେ ୟୁନୁସଙ୍କୁ ଦେଶ ଚଳାଇବାକୁ ସହାୟତା ମିଳିବ । ତେବେ ସେନା ଅଧିକାରୀ ୧୯୭୧ ମୁକ୍ତି ସଂଗ୍ରାମ ସପକ୍ଷରେ ଯୁକ୍ତି ବାଢିବା ସହ ଏହାସହ କୌଣସି ପ୍ରକାର ବୁଝାମଣା କରାଯିବନି ବୋଲି କହିଛନ୍ତି । ଜେନେରାଲ ବକାର ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି, ୟୁନୁସ ନିଜ ଚାଲାଖି ବନ୍ଦ ନକଲେ ସେନା କାର୍ଯ୍ୟାନୁଷ୍ଠାନ ନେବ ।

Comments are closed.