ନୂଆଦିଲ୍ଲୀ: ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜି ତାଙ୍କ ପତ୍ନୀ ସୁନିତା ଦ୍ୱିବେଦୀଙ୍କ ସହିତ ପ୍ରଭୁ ଶ୍ରୀ ରାମଙ୍କ ତପଭୂମି ଚିତ୍ରକୂଟରେ ପହଞ୍ଚିଥିଲେ। ସେ ଶ୍ରୀ ତୁଳସୀ ପୀଠରେ ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କଠାରୁ ଆଧ୍ୟାତ୍ମିକ ଦୀକ୍ଷା ନେଇଥିଲେ। ଏହି ଅବସରରେ, ସେନା ମୁଖ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଭାରତୀୟ ସେନାର ଚିହ୍ନ ମଧ୍ୟ ପ୍ରଦାନ କରିଥିଲେ ।
ତେବେ ନିୟମ ଅନୁଯାୟୀ, ଦୀକ୍ଷା ଗ୍ରହଣ ପରେ ଗୁରୁଙ୍କୁ କିଛି ଦକ୍ଷିଣା ଦିଅନ୍ତି ଶିଷ୍ୟ । ଏହି ଭାବପ୍ରବଣ ମୁହୂର୍ତ୍ତରେ, ଜଗଦଗୁରୁ ତାଙ୍କର ଦକ୍ଷିଣା ଭାବରେ ଏକ ଅନନ୍ୟ ଇଚ୍ଛା ପ୍ରକାଶ କରିଥିଲେ। ସେ କହିଥିଲେ, ମୋର ଦକ୍ଷିଣା ହେଉଛି ମୁଁ ପାକିସ୍ତାନ ଅଧିକୃତ ଜମ୍ମୁ ଏବଂ କାଶ୍ମୀର (ପିଓଜେକେ) ଭାରତର ଅଂଶ ହେବା ଦେଖିବି ଏବଂ ତାହା ମଧ୍ୟ ଜେନେରାଲ ଦ୍ୱିବେଦୀଙ୍କ କାର୍ଯ୍ୟକାଳରେ । ଏଥିସହିତ ଭଗବାନ କାମତନାଥ ଦେଶର ଏହି ଇଚ୍ଛା ଶୀଘ୍ର ପୂରଣ ହେବା ପାଇଁ ଆଶୀର୍ବାଦ ଦିଅନ୍ତୁ ବୋଲି ସେ କହିଛନ୍ତି ।
ଏହି ସମୟରେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱର ପ୍ରଶଂସା କରିଛନ୍ତି । କହିଛନ୍ତି, ଯେ ସେନାର ‘ଅପରେସନ୍ ସିନ୍ଦୂର’ ଭାରତକୁ ବିଶ୍ୱରେ ଏକ ନୂତନ ସ୍ଥାନ ଦେଇଛି। ସେ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ବାୟୁସେନା ମୁଖ୍ୟ ରାମଚରିତମାନସର ଶ୍ଳୋକ ମାଧ୍ୟମରେ ଅଭିଯାନର ଗଭୀରତା ବୁଝାଇଛନ୍ତି, ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ରାମଚରିତମାନସ ସାଧାରଣ ଲୋକଙ୍କ ଭାବନାର ପ୍ରତୀକ ପାଲଟିଛି। ଏଥିସହିତ ରାମଚରିତମାନସକୁ ଜାତୀୟ ଗ୍ରନ୍ଥ ଘୋଷଣା କରିବାକୁ ନିବେଦନ କରିଛନ୍ତି।
ଜେନେରାଲ ଦ୍ୱିବେଦୀ ଦିବ୍ୟାଙ୍ଗ ବିଶ୍ୱବିଦ୍ୟାଳୟ ଏବଂ ତୁଳସୀ ପ୍ରଜ୍ଞାଚକ୍ଷୁ ବିଦ୍ୟାଳୟର ଛାତ୍ରମାନଙ୍କୁ ମଧ୍ୟ ଭେଟିଥିଲେ। ସେ ଛାତ୍ରମାନଙ୍କୁ ଉପହାର ଏବଂ କିଟ୍ ବଣ୍ଟନ କରିଥିଲେ ଏବଂ ଭାରତୀୟ ସେନାର ସଫଳତା, ବିଶେଷକରି ଅପରେସନ ସିନ୍ଦୁରର ସଫଳତା ବଖାଣିଥିଲେ। ସେ କହିଥିଲେ, ଯୁଦ୍ଧରେ ବିଜୟ ପାଇଁ ଅସ୍ତ୍ର ସହିତ ଶାସ୍ତ୍ର ମଧ୍ୟ ଆବଶ୍ୟକ । ସେ ନିଜକୁ ଏକ ଅସ୍ତ୍ର ଏବଂ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ଏକ ଶାସ୍ତ୍ର ଭାବରେ ବର୍ଣ୍ଣନା କରିଥିଲେ ।
Comments are closed.