Latest Odisha News

ଏଟି ଚିଟଫଣ୍ଡ ଠକେଇ ମାମଲାରେ ବଢ଼ିଲା ପୂର୍ବତନ ଏଜି ଅଶୋକ ମହାନ୍ତିଙ୍କ ଅଡୁଆ

କଟକ: ଅର୍ଥତତ୍ବ ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବତନ ଆଡଭୋକେଟ ଜେନେରାଲ ଅଶୋକ ମହାନ୍ତିଙ୍କ ଆବେଦନ ଖାରଜ। ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ତାଙ୍କୁ ଏହି ମାମଲାରେ ତଦନ୍ତ ପରିସରଭୁକ୍ତ କରାନଯାଉ ବୋଲି ଆବେଦନ କରିଥିଲେ। ହେଲେ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ଏହାସହିତ ପୂର୍ବରୁ ହାଇକୋର୍ଟ ୨୦୧୮ରେ ଯେଇଁ ଅନ୍ତରୀଣ ଆଦେଶ ଦେଇଥିଲେ ଏହି ମାମଲାରେ ତାକୁ ଉଠାଇ ଦେଇଛନ୍ତି।

ନିକଟରେ ସୁପ୍ରିମକୋର୍ଟ ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ସରକାରଙ୍କୁ ଏକ ରିପୋର୍ଟ ଦେବାକୁ କହିଥିଲେ। ଯେଉଁଥିରେ କେତେ ଜଣ କ୍ଷତିଗ୍ରସ୍ତ ଜମାକାରୀ ପଇସା ପାଇଛନ୍ତି କି କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଜବାବ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏହାପରେ ହାଇକୋର୍ଟ ପୂର୍ବତନ ଏଜିଙ୍କ ଆବେଦନକୁ ଖାରଜ କରି ସିବିଆଇକୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଅର୍ଥତତ୍ବ ମୁଖ୍ୟ ପ୍ରଦୀପ ସେଠୀଙ୍କ ନିକଟରୁ ସିଡିଏରେ ଏକ ଘର ଅଶୋକ ମହାନ୍ତି ଉପହାର ଆକାରରେ ପାଇଥିଲେ ବୋଲି ଅଭିଯୋଗ ରହିଛି। ୨୦୧୧ରେ ପ୍ରଦୀପ ସେହି ଘର ଚିଟଫଣ୍ଡ ଟଙ୍କାରେ କିଣିଥିଲେ ବୋଲି ଅଭିଯୋଗ ରହିଛି। ପରେ ସେ ସେହି ଘରକୁ ୨୦୧୨ରେ ଅଶୋକ ମହାନ୍ତିଙ୍କୁ ଦେଇଥିଲେ ବୋଲି ଅଭିଯୋଗ ରହିଛି। ପରେ ଅଶୋକ ମହାନ୍ତି ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିବା ଅଭିଯୋଗ ହୋଇଥିଲା। ଆଉ ସିବିଆଇ ତାଙ୍କୁ ଗିରଫ କରିଥିଲା। ପରେ ସେ ଜିଲ୍ଲା ଦୌରାଜଜଙ୍କ କୋର୍ଟରୁ ଜାମିନ ପାଇଥିଲେ।

ପରେ ଏହି ମାମଲାରେ ତାଙ୍କୁ ତଦନ୍ତ ପରିସରଭୁକ୍ତ ନକରିବାକୁ ଅଶୋକ ମହାନ୍ତି ସିବିଆଇ କୋର୍ଟରେ ଆବେଦନ କରିଥିଲ। ହେଲେ ସିବିଆଇ କୋର୍ଟ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଆଉ ଏବେ ହାଇକୋର୍ଟରୁ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି।

Comments are closed.