Latest Odisha News

BREAKING NEWS

ଧାରା ୩୭୦ ରାୟ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଦେଲା କି ଗତି?

ନୂଆଦିଲ୍ଲୀ: ତିନି ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଜୟୀ ହେବା, ଧାରା ୩୭୦ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ନିଜ ସପକ୍ଷପରେ ଗୋଟିଏ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ଧାରା ୩୭୦ ଉଚ୍ଛେଦ ଓ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଆଦି ବିଜେପି ତାର ଭୋଟରଙ୍କୁ ଦେଇଥିବା ଦୁଇଟି ପ୍ରମୁଖ ପ୍ରତିଶ୍ରୁତି ଥିଲା। ଏହି ଦୁଇ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ମୋହର ବାଜିବା ପରେ ଦଳ ଏହି ସଫଳତାକୁ ଆଗାମୀ ନିର୍ବାଚନରେ ନିଜ ଫାଇଦାରେ ଲଗାଇବା ପାଇଁ ସଜବାଜ ହେଉଛି। ଏହି ରାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ବୋଲି କହିଛନ୍ତି। ସେହିପରି ବିଜେପି ନେତା ଏହି ସବୁ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ରଖୁଛନ୍ତି ତାହା ଦୋହରାଇଛି ନିଜ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବାର ଅନ୍ୟତମ ପ୍ରମୁଖ ରଣନୀତି।

ଜାନୁଆରୀ ୨୨, ୨୦୨୪ ରେ ନିର୍ଦ୍ଧାରିତ ଭବ୍ୟ ରାମ ମନ୍ଦିର ଉଦଘାଟନ ଉତ୍ସବ, ବିଜେପିର ଏହି ମାହୋଲକୁ ଆହୁରି ଅତିକ ଗତି ଦେବ ବୋଲି କୁହାଯାଉଛି। ବ୍ୟାପକ ଯୋଜନା ଏବଂ ବ୍ୟାପକ ଅଂଶଗ୍ରହଣ ସହିତ ଏହି ସବୁ ପ୍ରସଙ୍ଗ ଉତ୍ସାହ ସୃଷ୍ଟି କରିବ ଏବଂ ସମର୍ଥକମାନଙ୍କ ମଧ୍ୟରେ ଦଳର ଭାବମୂର୍ତ୍ତିକୁ ମଜଭୁତ କରିବ ବୋଲି ଆଶା କରାଯାଉଛି।

ଏହି ଦୁଇଟି ଯୁଗାନ୍ତକାରୀ ସଫଳତା ସହ ନିକଟରେ ହିନ୍ଦୀ ଭାଷୀ ରାଜ୍ୟଗୁଡ଼ିକରେ ହୋଇଥିବା ବିଜୟ ୨୦୨୪ ନିର୍ବାଚନରେ ବିଜେପି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଲାଭ ପ୍ରଦାନ କରିଛି। ଏହାବ୍ୟତୀତ, ବିଧାନସଭା ନିର୍ବାଚନ ତୁଳନାରେ ଜାତୀୟ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ବିଜେପିର ଟ୍ରାକ ରେକର୍ଡ ଏହାର ସ୍ଥିତିକୁ ଆହୁରି ମଜଭୁତ କରୁଛି।

ସେପଟେ ବିରୋଧୀ ଦଳ ବି ଚୁପ୍ ବସିଛନ୍ତି। ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ଗଠନ ହୋଇଥିବା ଇଣ୍ଡିଆ ମଂଚ ମଧ୍ୟ କେଉଁ ପ୍ରସଙ୍ଗରେ ଶାସକ ଦଳ ବିରୋଧରେ ଆଭିମୁଖ୍ୟ ରଖି ଗଲେ ଲୋକଙ୍କ ନିକଟତର ହୋଇପାରିବ ସେ ଦିଗରେ ବିଚାର କରୁଛି। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନ ଏହି ମେଣ୍ଟ ମଧ୍ୟରେ ଥିବା ଆଭ୍ୟନ୍ତରୀଣ ବିଭାଜନକୁ ପଦାରେ ପକାଇଥିଲା, ଯାହା ମିଳିତ ସାମ୍ମୁଖ୍ୟ ଉପସ୍ଥାପନ କରିବାର କ୍ଷମତାକୁ ଆହୁରି ବାଧାପ୍ରାପ୍ତ କରିଥିଲା।

Comments are closed.