ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢୁଥିବା ବେଳେ ଆମ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବୁଧବାର ପୁଣି ଏକ ମେନିଫେଷ୍ଟୋ ଜାରି କରିଛନ୍ତି। ଏହି ମେନିଫେଷ୍ଟୋକୁ କେଜରିୱାଲ ମିଡିଲ କ୍ଲାସ ବା ମଧ୍ୟବିତ୍ତଙ୍କ ପାଇଁ ଘୋଷଣା ପତ୍ର ବୋଲି କହିଛନ୍ତି। ଦେଶର ଅସଲି ସୁପର ପାୱାର ମିଡିଲ କ୍ଲାସ ବୋଲି ସେ କହିଛନ୍ତି। ତେବେ ମିଡିଲ କ୍ଲାସଙ୍କ ପାଇଁ କୌଣସି ରାଜନୈତିକ ଦଳ ଘୋଷଣା ପତ୍ର ଜାରି କରିବା ଇତିହାସରେ ପ୍ରଥମ ବୋଲି କୁହାଯାଉଛି।
ଘୋଷଣା ପତ୍ର ଜାରି କରି କେଜ୍ରିୱାଲ କହିଛନ୍ତି, ଦେଶର ବଡ ଶକ୍ତି ହେଉଛନ୍ତି ମଧ୍ୟବିତ୍ତ ବର୍ଗର ଲୋକେ। ମିଡିଲ କ୍ଳାସଙ୍କୁ ଚିହ୍ନିବା ସହିତ ସେମାନଙ୍କ ପାଇଁ ସ୍ଵତନ୍ତ୍ର ବଜେଟ ଆଣିବାକୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପିଲ କରିଛନ୍ତି। ମିଡିଲ କ୍ଲାସଙ୍କ ପାଇଁ ଶିକ୍ଷା ସ୍ବାସ୍ଥ୍ୟ କ୍ଷେତ୍ରରେ ବଜେଟ ବୃଦ୍ଧି, ଘରୋଇ ସ୍କୁଲ ଫିସରେ ଲଗାମ, ଜରୁରୀ ବସ୍ତୁମାନଙ୍କୁ ଜିଏସଟି ବିହୀନ କରିବା, ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା, ବରିଷ୍ଠ ନାଗରିକଙ୍କ ପାଇଁ ପେନସନ ପ୍ଲାନ ଓ ରେଳ ଟିକେଟରେ ୫୦ ପ୍ରତିଶତ ରିହାତି ଭଳି ସୁବିଧା ଯୋଗାଇ ଦେବାକୁ ସେ ଅପିଲ କରିଛନ୍ତି।
କେଜ୍ରିୱାଲ ଆହୁରି କହିଛନ୍ତି, ଦେଶର ମିଡିଲ କ୍ଲାସ ଟ୍ୟାକ୍ସ ଟେରରିଜିମର ଶିକାର ହେଉଛନ୍ତି। ସେମାନଙ୍କ ରୋଜଗାର ଅଧା ଅଂଶ ଟିକସ ବା ଟ୍ୟାକ୍ସ ଦେବାରେ ଶେଷ ହେଉଛି। କିନ୍ତୁ ଦିଲ୍ଲୀରେ ଆପ ସରକାର ଗରିବ ଓ ମିଡିଲ କ୍ଲାସଙ୍କ ପାଇଁ ମାଗଣାରେ ବିଦ୍ୟୁତ, ପାଣି, ଶିକ୍ଷା, ସ୍ବାସ୍ଥ୍ୟ ଭଳି ଅନେକ ସୁବିଧା ଦେଉଛି। ରାଜନୈତିକ ପାର୍ଟି ବଡ ବଡ ଉଦ୍ୟୋଗପତିଙ୍କୁ ନୋଟ ବ୍ଯାଙ୍କ କରିଥିବା ବେଳେ ସାଧାରଣ ମଧ୍ୟବିତ୍ତଙ୍କୁ ଭୋଟ ବ୍ଯାଙ୍କ କରିଛନ୍ତି। ଦେଶ ଚଳାଇବାକୁ ମଧ୍ୟବିତ୍ତ ଟିକସ ଦେଉଥିବା ବେଳେ ସେମାନଙ୍କ ହିତ ପାଇଁ ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ କୌଣସି ସରକାର କିଛି କରିନାହିଁ।
ସାରା ଦେଶରେ ଜନତା ଟ୍ୟାକ୍ସ ଆତଙ୍କବାଦରେ ପୀଡ଼ିତ ଅଛି। ଏନେଇ ପ୍ରତିବର୍ଷ ଲୋକେ ଦେଶ ଛାଡୁଛନ୍ତି । ୨୦୨୦ରେ ୮୫୦୦୦ ଭାରତୀୟ ଦେଶ ଛାଡ଼ିଥିବା ବେଳେ ୨୦୨୩ ରେ ଏହା ୩ ଗୁଣ ଅର୍ଥାତ ୨,୧୬,୨୧୯ ଲୋକ ଦେଶ ଛାଡିଛନ୍ତି। ସରକାର ଲୋକଙ୍କ ପାଖରୁ ଟ୍ୟାକ୍ସ ଆକାରରେ ନେଉଥିବା ଟଙ୍କାକୁ ଦେଶର ଉନ୍ନତିରେ ଖର୍ଚ୍ଚ କରୁ ନଥିବା କେଜ୍ରିୱାଲ କହିଛନ୍ତି। ସେ କହିଛନ୍ତି ଆମ ଦଳ ମିଡିଲ କ୍ଲାସଙ୍କ ପାଇଁ ଠିଆ ହେବ। ସେମାନଙ୍କ କଥା ରାସ୍ତାରୁ ନେଇ ସଂସଦରେ ପହଞ୍ଚାଇବୁ। ଆସନ୍ତା ୨ ସପ୍ତାହ ପରେ ବଜେଟ ଅଧିବେଶନ ବସିବ। ଏହି ଅଧିବେଶନରେ ଆମେ ମିଡିଲ କ୍ଲାସଙ୍କ ମୁଦ୍ଦାକୁ ଉପସ୍ଥାପନ କରିବୁ ବୋଲି ସେ କହିଛନ୍ତି।
Comments are closed.