Latest Odisha News

ନୂଆପଡ଼ା ଗସ୍ତ କରି ମାଓ ଦମନ ଉପରେ ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ

ନୂଆପଡ଼ା: ଓଡିଶା ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ମାଓ ଦମନ ଅଭିଯାନ ସମ୍ପର୍କରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହିତ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ପୋଲିସ ଆଇଜି ଅପରେସନ, ନୀତି ଶେଖର, ନୂଆପଡ଼ା ପୋଲିସ ଆରକ୍ଷୀ ଅଧିକ୍ଷକ ଜି ଆର ରାଘବେନ୍ଦ୍ର ପ୍ରମୁଖ ଯୋଗ ଦେଇଥିଲେ ।

ନୂଆପଡ଼ା ଜିଲ୍ଲାସୀମା ଠାରୁ ୫ କିଲୋମିଟର ଦୂରତାରେ ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ମିଳିତ ପୋଲିସ ବାହିନୀକୁ ମାଓ ଦମନ ଅଭିଯାନରେ ବଡ ସଫଳତା ମିଳିଛି । ଯବାନଙ୍କ ଏନକାଉଣ୍ଟରରେ ୧୪ ଜଣ ନିହତ ମାଓବାଦୀଙ୍କ ମୃତଦେହ ଏଯାଏଁ ଉଦ୍ଧାର ହେଇଛି l ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ଗରିଆବନ୍ଧ ଜିଲ୍ଲା କୁଲାହାରିଘାଟର ଭାଲୁଡିଗି ଜଙ୍ଗଲରେ ଏନକାଉଣ୍ଟର ବେଳେ ମାଓବାଦୀ ନିହତ ସଂଖ୍ୟା ବୃଦ୍ଧି ହେବା ନେଇ ଡିଜିପି ଆଶା ପ୍ରକାଶ କରିଛନ୍ତି ।

ଅପରେସନରେ ଓଡ଼ିଶା ଏସଓଜି, ଛତିଶଗଡ଼ କୋବ୍ରା ବାଟାଲିୟନ ଏବଂ ସି ଆରପିଏଫ୍ ଏଭଳି ତିନି ପ୍ରକାର ଯବାନଙ୍କ ମିଳିତ ଟିମ୍ ସାମିଲ ହୋଇଥିଲେ l ଏହି ଅଭିଯାନରେ ଅତ୍ୟାଧୁନିକ ରଣନୀତି ବ୍ୟବହାର ହୋଇଛି । ଗତ ୧୯ ତାରିଖରେ ମାଓ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ବେଳେ ୨ ଜଣ ମହିଳା ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା । ସର୍ଚ୍ଚ ଅପରେସନ ବେଳେ ୨୧ ତାରିଖ ଦିନ ଆଉ ୧୨ ଜଣ ନିହତ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହେଇଛି l ସେଥିମଧ୍ୟରୁ ମାଓବାଦୀ ସଙ୍ଗଠନର କେନ୍ଦ୍ର କମିଟି ସଦସ୍ୟ ଚଲପତି ଓ ଅନ୍ୟଜଣେ ଓଡ଼ିଶା କମିଟି ମେମ୍ବର ଜୟରାମ ବୋଲି ଜଣା ପଡିଛି ।

ଏବେ ମଧ୍ୟ ସର୍ଚ୍ଚ ଅପରେସନ ଚାଲୁ ରହିଅଛି । ଆସନ୍ତା ଦିନରେ ନିହତ ମାଓ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ପୋଲିସ ମହା ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନରେ ଏସଓଜିଙ୍କ ସଫଳତା ପାଇଁ ଧନ୍ୟବାଦ ଜ୍ଞାପନ କରିବା ସହ ସେମାନଙ୍କ ବିଶେଷ ଆର୍ଥିକ ସହାୟତାକୁ ୮ ହଜାରରୁ ୨୫ ହଜାରକୁ ବୃଦ୍ଧି କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦେଇଥିବା ପ୍ରତିଶ୍ରୁତି ଆସନ୍ତା ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓବାଦ ଓ ନକ୍ସଲ ମୁକ୍ତ ଭାରତ ଗଠନର ଏହା ଏକ ସଫଳ ପ୍ରୟାସ ବୋଲି ଡିଜିପି ମତବ୍ୟକ୍ତ କରିଥିଲେ ।

ଏହି ଘଟଣା ପରେ ମାଓ ଗତିବିଧି ବୃଦ୍ଧି ହେବା ନେଇ ସୀମାନ୍ତ ଅଞ୍ଚଳରେ ଅଧିକ ସତର୍କତା ଅବଲମ୍ବନ ସହିତ ଅନେକ ପଦକ୍ଷେପ ଗ୍ରହଣ କରା ଯାଇଛି ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ମହା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ନୂଆପଡ଼ା ଏସପିଙ୍କୁ ପ୍ରଶଂସା କରିବା ସହ ଆହତ ଦୁଇ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଦୁଇ ଯବାନ ଙ୍କ ସହ ଫୋନ୍ ରେ କଥା ହୋଇଥିବା ସୂଚନା ଦେଇ ଉଭୟ ଙ୍କ ସାହସିକତା ପାଇଁ ଉଭୟଙ୍କ ସହ ସମସ୍ତ ଯବାନଙ୍କୁ ପ୍ରଶଂସା କରିଛନ୍ତି ମହା ନିର୍ଦ୍ଦେଶକ ।

Comments are closed.