Latest Odisha News

କେଜ୍ରିୱାଲଙ୍କ ୧୦ ଗ୍ୟାରେଣ୍ଟି, କ୍ଷମତାକୁ ଆସିଲେ ମିଳିବ ମାଗଣା ବିଜୁଳି

ନୂଆଦିଲ୍ଲୀ: ଜେଲରୁ ବାହାରିବା ପରେ ଦେଶବାସୀଙ୍କୁ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ୧୦ ଗ୍ୟାରେଣ୍ଟି । ଦେଶବାସୀଙ୍କୁ ମାଗଣା ବିଜୁଳି ସହ ଉତ୍ତମ ଶିକ୍ଷା-ସ୍ବାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ଦେଲେ ପ୍ରତିଶୃତି । କେଜ୍ରିୱାଲ କହିଛନ୍ତି ଯେ, କେଜ୍ରିୱାଲଙ୍କ ଗ୍ୟାରେଣ୍ଟି ଏକ ବ୍ରାଣ୍ଡ। ମୋ ଗ୍ୟାରେଣ୍ଟି ମୋଦୀ ଜିଙ୍କ ଗ୍ୟାରେଣ୍ଟି ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଆମେ ପୂର୍ବରୁ ମଧ୍ୟ ଆମର ଗ୍ୟାରେଣ୍ଟି ପୂରଣ କରିଛୁ। ସେ କହିଛନ୍ତି ଯେ ତାଙ୍କ ସରକାର ଦିଲ୍ଲୀ ଏବଂ ପଞ୍ଜାବର ଲୋକଙ୍କ ପାଇଁ ଏହାର ଗ୍ୟାରେଣ୍ଟି ପୂରଣ କରିଛନ୍ତି ଏବଂ ଆଜି ମଧ୍ୟ ସମଗ୍ର ଦେଶ ପାଇଁ ଏହା କରିବାକୁ ପ୍ରସ୍ତୁତ।

କେଜ୍ରିୱାଲ ଜନସାଧାରଣଙ୍କୁ ୧୦ଟି ଗ୍ୟାରେଣ୍ଟି ଦେଇ କହିଛନ୍ତି ଯେ, ଯଦି ଦଳ କ୍ଷମତାକୁ ଆସେ ତେବେ ସମଗ୍ର ଦେଶରେ ଗରିବ ଲୋକଙ୍କୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦିଆଯିବ । ଦେଶର ସମସ୍ତ ସରକାରୀ ବିଦ୍ୟାଳୟଗୁଡିକୁ ଘରୋଇ ବିଦ୍ୟାଳୟଠାରୁ ଉନ୍ନତ କରାଯିବ । ଦେଶରେ ସମସ୍ତ ଛାତ୍ରଛାତ୍ରଙ୍କୁ ଉତ୍ତମ, ଉତ୍କୃଷ୍ଟ ଏବଂ ମାଗଣା ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି କେଜ୍ରିୱାଲ।

କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତଙ୍କ ପାଇଁ ଉତ୍ତମ ଚିକିତ୍ସା ବ୍ୟବସ୍ଥା ଯୋଗାଇଦିଆଯିବ । ଦେଶର ପ୍ରତ୍ୟେକ ଗ୍ରାମ ଏବଂ ସ୍ଥାନୀୟ ଅଞ୍ଚଳରେ ମୋହଲ୍ଲା କ୍ଲିନିକ ଖୋଲାଯିବ, ଜିଲ୍ଲା ଡାକ୍ତରଖାନା ବିଳାସପୂର୍ଣ୍ଣ ଘରୋଇ ଡାକ୍ତରଖାନା ପରି ନିର୍ମାଣ କରାଯିବ । ବୀମା ଭିତ୍ତିକ ନୁହେଁ, କିନ୍ତୁ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା ହେବ । ଏଥିପାଇଁ ଆମେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରିବୁ । ଅଗ୍ନିବୀର ଯୋଜନାକୁ ବନ୍ଦ କରାଯିବ । ଏଯାବତ ଯେତେ ଜଣ ଅଗ୍ନିବୀରରେ ଭର୍ତ୍ତି ହୋଇଛନ୍ତି, ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବ । ଜିଏସଟିକୁ PMLAରୁ ବାହାର କରାଯାଇ ଏହାକୁ ସରଳୀକରଣ କରାଯିବ । ନୂଆ ବାଣିଜ୍ୟ ବ୍ୟବସାୟ ଓ ଉଦ୍ୟୋଗ ଆରମ୍ଭ କରିବାର ବ୍ୟବସ୍ଥା କରାଯିବ । ଏଥିଲାଗି ସମସ୍ତ ବର୍ଗର ବ୍ୟବସାୟୀଙ୍କୁ ଆଗକୁ ବଢିବାର ସୁଯୋଗ ଦିଆଯିବ ।

ସମଗ୍ର ବିଶ୍ବ ଜାଣେ ଯେ ଚୀନ ଆମ ଦେଶର ଜମି ଦଖଲ କରିଛି । ଆମର କେନ୍ଦ୍ର ସରକାର ଏହାକୁ ଅସ୍ବୀକାର କରିଆସୁଛନ୍ତି । ଚୀନ ଦ୍ବାରା କବଜା ହୋଇଥିବା ଦେଶର ସମସ୍ତ ଜମିକୁ ମୁକ୍ତ କରାଯିବ। ଏଥିପାଇଁ ସେନାକୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯିବ ଏବଂ କୂଟନୈତିକ ସ୍ତରରେ ମଧ୍ୟ ଉଦ୍ୟମ କରାଯିବ ବୋଲି କହିଛନ୍ତି କେଜ୍ରିୱାଲ । ସେହିପରି ସ୍ବାମୀନାଥନ ରିପୋର୍ଟ ଆଧାରରେ ଚାଷୀଙ୍କ ଦାବିକୁ ପୂରଣ କରାଯିବ । ଚାଷୀଙ୍କୁ ସର୍ବମୂଲ୍ୟ ସହାୟତା ରାଶି ପ୍ରଦାନ କରାଯିବ । ଦିଲ୍ଲୀକୁ ସମ୍ପୂର୍ଣ୍ଣ ରାଜ୍ୟର ମାନ୍ୟତା ପ୍ରଦାନ କରାଯିବ । ବେରୋଜଗାରୀକୁ ସମ୍ପୂର୍ଣ୍ଣ ଶେଷ କରିବା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ୧ ବର୍ଷରେ ୨ କୋଟି ରୋଜଗାରର ବ୍ୟବସ୍ଥା କରାଯିବ । ଭ୍ରଷ୍ଟାଚାରର ବିନାଶ ହେବ । ସଚ୍ଚୋଟ ବ୍ୟକ୍ତିଙ୍କୁ ଜେଲକୁ ପଠାଇବା ଓ ଭ୍ରଷ୍ଟାଚାରଙ୍କୁ ବଞ୍ଚାଇବା ବ୍ୟବସ୍ଥାକୁ ହଟାଯିବ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି କେଜ୍ରିୱାଲ ।

 

Comments are closed.