Latest Odisha News

BREAKING NEWS

ବାଂଲାଦେଶ ବଢାଇଲା ଭାରତର ଚିନ୍ତା

ନୂଆଦିଲ୍ଲୀ: ଚୀନ୍ ଓ ପାକିସ୍ତାନର ନିକଟତର ହେଉଛି ବାଂଲାଦେଶ । ଭାରତ ପାଇଁ ବିଛାଉଛି କଣ୍ଟା ! ଭାରତ ବିରୋଧୀ ମନୋବୃତି ଦେଖାଉଛି ବାଂଲାଦେଶ । ନିକଟରେ ଚୀନ୍ ଗସ୍ତରେ ଥିବା ବେଳେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ । ଭାରତର ପୂର୍ବୋତ୍ତର ରାଜ୍ୟଗୁଡିକୁ ସ୍ଥଳଭାଗ ଦ୍ବାରା ଆବଦ୍ଧ ଅଞ୍ଚଳ କହିବା ସହ ବାଂଲାଦେଶକୁ ପୂରା କ୍ଷେତ୍ରରେ ଥିବା ସମୁଦ୍ରର ଏକମାତ୍ର ଅଭିଭାବକ କହିଥିଲେ ୟୁନୁସ । ଏହା ସହ ଚୀନ୍ ପାଇଁ ବାଂଲାଦେଶକୁ ରଣନୈତିକ ଏଣ୍ଟ୍ରି ଗେଟ୍ ଭାବେ ଉପସ୍ଥାପନ କରିଥିଲେ । ଏହାପରେ ଚର୍ଚ୍ଚା ହେଉଛି, ଚୀନ କାନ୍ଧରେ ବନ୍ଧୁକ ରଖି ଭାରତକୁ ଟାର୍ଗେଟ୍ କରିବାକୁ ଉଦ୍ୟମ କରୁଛି ବାଂଲାଦେଶ ।

ବାଂଲାଦେଶ ବଢାଇଲା ଚିନ୍ତା

ବାଂଲାଦେଶରେ ଚୀନର ଉପସ୍ଥିତି ବୃଦ୍ଧିକୁ ନେଇ ଭାରତର ଚିନ୍ତା ବଢୁଛି । ତିସ୍ତା ନଦୀ ପ୍ରକଳ୍ପ ଭାରତ ଓ ଚୀନ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତାର ନୂଆ କ୍ଷେତ୍ର ପାଲଟିଛି । ଏହାସହ ବାଂଲାଦେଶର ଲାଲମୋନିରହାଟରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ଏୟାରବେସକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ଯୋଜନା କରାଯାଉଛି । ଲାଲମୋନିରହାଟ ଭାରତ ସୀମାଠାରୁ ମାତ୍ର ୧୦କିଲୋମିଟର ଦୂରରେ ରହିଛି। ଏହାକୁ ଆଧୁନିକ ଏୟାରବେସରେ ପରିଣତ କରିବାକୁ ବାଂଲାଦେଶ ଚୀନର ସହଯୋଗ ମାଗିଛି । ଏନେଇ ୟୁନୁସଙ୍କ ଚୀନ୍ ଗସ୍ତ ବେଳେ ବି ଚର୍ଚ୍ଚା ହୋଇଛି । ସିଲିଗୁଡି କରିଡର ବା ଚିକେନ୍ ନେକ୍ ଭାରତର ବାକି ଅଂଶକୁ ପୂର୍ବତ୍ତୋର ରାଜ୍ୟ ସହ ଯୋଡେ । ତେଣୁ ସିଲିଗୁଡି କରିଡର ନିକଟରେ ଲାଲମୋନିରହାଟ ଏୟାରଫିଲଡ ଭାରତ ପାଇଁ ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଭାରତ ସୀମା ନିକଟରେ ଏୟାରଫିଲଡ କ୍ଷେତ୍ରରେ ଚୀନର ଭାଗିଦାରୀ ନେଇ ବାଂଲାଦେଶର ପଦକ୍ଷେପ ନୂଆଦିଲ୍ଲୀର ଚିନ୍ତା ବଢାଇଛି ।

ପଡ଼ୋଶୀ ଦେଶରେ ଭାରତ ବିରୋଧୀ ଭାବନା

ବାଂଲାଦେଶରେ ଶେଖ ହସିନାଙ୍କ ଆଓ୍ବାମୀ ଲିଗ ସରକାର କ୍ଷମତାରୁ ହଟିବା ପରଠୁ ଦେଶର ବିଦେଶ ନୀତିରେ ପରିବର୍ତ୍ତନ ଆସିଛି। ହସିନା କ୍ଷମତାରେ ଥିବା ବେଳେ ଭାରତ ସହ ବାଂଲାଦେଶର ମଜବୁତ ସଂପର୍କ ରହିଥିଲା । ତେବେ ୟୁନୁସଙ୍କ ନେତୃତ୍ବାଧୀନ ସରକାରର ଭାରତ ବିରୋଧୀ ମନବୃତି ସ୍ପଷ୍ଟ ହୋଇଛି । କେବଳ ସେତିକି ନୁହେଁ ଢାକାରେ ଭାରତ ବିରୋଧୀ ପ୍ରଦର୍ଶନ ବି ଦେଖିବାକୁ ମିଳୁଛି । ଭରତଠାରୁ ଦୂରେଇବା ସହ ଚୀନର ନିକଟତର ହୋଇଛି ବାଂଲାଦେଶ । ବାଂଲାଦେଶ ମୋଙ୍ଗଲା ପୋର୍ଟ ଆଧୁନିକୀକରଣ ଓ ଚଟଗାଓଁରେ ଚୀନ୍ ଆର୍ଥିକ ଏବଂ ଉଦ୍ୟୋଗିକ କ୍ଷେତ୍ରରେ ବିସ୍ତାର କରିବାକୁ ଯାଉଛି ।

କେମିତି ବଢିବ ଭାରତର ଚିନ୍ତା?

ଚୀନ୍ ଆଡକୁ ବାଂଲାଦେଶ ଢଳିବା ଭାରତର ଚିନ୍ତା ବଢାଇଛି । ବାଂଲାଦେଶରେ ଚୀନର ଉପସ୍ଥିତି ବୃଦ୍ଧିକୁ ଷ୍ଟ୍ରିଙ୍ଗ ଅଫ୍ ପର୍ଲସ ମାଧ୍ୟମରେ ଭାରତକୁ ଘେରିବାକୁ ବ୍ୟାପକ ରଣନୀତି ରୂପେ ଦେଖାଯାଉଛି । ଭାରତ ମହାସାଗର କ୍ଷେତ୍ରରେ ଏହାକୁ ରଣନୈତିକ ନେଟଓ୍ବର୍କ କୁହାଯାଉଛି । ବାଂଲାଦେଶ ଭାରତର ପୂର୍ବୋତ୍ତର ରାଜ୍ୟ ସୀମାରେ ରହିଥିବା ବେଳେ, ବାଂଲାଦେଶରେ ଚୀନର ସକ୍ରିୟତା ସିଲିଗୁଡି କରିଡରର ସୁରକ୍ଷାକୁ ବିପଦରେ ପକାଇପାରେ ବୋଲି ଆଶଙ୍କା କରାଯାଉଛି । ଏହାସହ ସିକ୍କିମରୁ ବାହାରିଥିବା ତିସ୍ତା ନଦୀ ପ୍ରକଳ୍ପରେ ଚୀନର ଦଖଲ ଭାରତର ଚିନ୍ତାକୁ ବଢାଇଛି । ପଶ୍ଚିମବଙ୍ଗରୁ ବାଂଲାଦେଶ ମଧ୍ୟରେ ପ୍ରବେଶ କରିଥିବା ତିସ୍ତା ନଦୀ ଜଳକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ରହିଛି । ଏବେ ତିସ୍ତା ନଦୀ ଜଳ ପରିଚାଳନା ପ୍ରକଳ୍ପରେ ଚୀନର ଏଣ୍ଟ୍ରି ପାଇଁ ବାଟ ଖୋଲି ଦେଇଛନ୍ତି ୟୁନୁସ । ସିଲିଗୁଡି କରିଡର ନିକଟରେ ତିସ୍ତା ନଦୀ ରହିଥିବା ବେଳେ ଏହା ବାଂଲାଦେଶକୁ ରଣନୈତିକ ଲାଭ ଦେଇପାରେ । ତେଣୁ ତିସ୍ତା ନଦୀ ପ୍ରକଳ୍ପରେ ଚୀନ ଦଖଲ ଦେଲେ ଭାରତ ପାଇଁ ଚିନ୍ତା ବଢିପାରେ ।

Comments are closed.