Latest Odisha News

BREAKING NEWS

ସିନ୍ଦେଙ୍କୁ ଡିମୋସନ୍…ଆଗକୁ ଏସବୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ ହେଲେ ଏକାନାଥ ସିନ୍ଦେ । ଅଢେଇ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ଏବେ ଫଡନାବିସଙ୍କ ଡେପୁଟି ଭାବେ କାମ କରିବେ । ଚଉକି ବଦଳ ତ ହେଲା, ତେବେ ସିନ୍ଦେଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ, ଆଗକୁ କଣ ହେବ? ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ଦଳରେ ତାଙ୍କ ପକଡ଼ ପୂର୍ବ ଭଳି ରହିବ କି ? କାରଣ ବିଜେପି ସିନ୍ଦେଙ୍କ ଶିବସେନାକୁ ଗିଳିବାକୁ ଉଦ୍ୟମ କରିପାରେ । ମନ୍ତ୍ରୀପଦକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ବାର୍ଗେନିଂ ହୋଇଛି । ତେବେ ଏକନାଥ ସିନ୍ଦେଙ୍କ ପ୍ରକୃତ ସଂଘର୍ଷ ଏବେ ଆରମ୍ଭ ହେବ ।

ଜିତିଲେ କିନ୍ତୁ ହାରିଗଲେ !

ଲୋକସଭା ନିର୍ବାଚନରେ ବିଜେପିଠାରୁ ଭଲ ପ୍ରଦର୍ଶନ କରିଥିଲା ଶିବସେନା । ମହାୟୁତିକୁ କେବଳ ୧୭ଟି ସିଟ୍ ମିଳିଥିବା ବେଳେ କେବଳ ଶିବସେନା ୭ଟି ସିଟ୍ ଜିତି ବିଜେପିଠାରୁ ଭଲ ଷ୍ଟ୍ରାଇକ୍ ରେଟ୍ ଦେଖାଇଥିଲା । ବିଧାନସଭା ନିର୍ବାଚନରେ ବି ୫୭ଟି ସିଟ୍ ଜିତି ସିନ୍ଦେଙ୍କ ଶିବସେନା ମହାରାଷ୍ଟ୍ରରେ ଦ୍ବିତୀୟ ବଡ ଦଳ ପାଲଟିଥିଲା । ଭଲ ପ୍ରଦର୍ଶନ ସହ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦ ପାଇବା ନେଇ ସ୍ବପ୍ନ ଦେଖୁଥିଲେ ସିନ୍ଦେ । ହେଲେ ବିଜେପି ୧୩୨ଟି ସିଟ୍ ଜିତି ତାଙ୍କ ସ୍ବପ୍ନ ଭାଙ୍ଗି ଦେଇଥିଲା । ଜନତାଙ୍କ ଅଦାଲତରେ ଜିତିଥିବା ସିନ୍ଦେଙ୍କ ଆଶା ପୂରଣ ହେଲାନି । ଉପମୁଖ୍ୟମନ୍ତ୍ରୀ ପଦରେ ହିଁ ସନ୍ତୁଷ୍ଟ ହେବାକୁ ପଡିଲା ।

ଦଳ ଉପରେ କଣ୍ଟ୍ରୋଲ ଜରୁରୀ

୨୦୨୨ରେ ଶିବସେନା ବିଭାଜନ ପରେ ୪୦ବିଧାୟକଙ୍କ ସହ ସିନ୍ଦେ ମହାୟୁତିରେ ସାମିଲ ହୋଇଥିଲେ । ସେତେବେଳେ ବିଜେପି ନିଜେ ପଛକୁ ହଟି ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲା। ୧୦୫ ବିଧାୟକ ଥାଇ ବି ସେତେବେଳେ ବଡ଼ ଗୋଟି ଚଳାଇଥିଲା ବିଜେପି । ହେଲେ ଏବେ ସ୍ଥିତି ବଦଳିଛି । ବିଜେପି ପାଖରେ ୧୩୨ ବିଧାୟକ ରହିଛନ୍ତି । ସିନ୍ଦେ ସାମାନ୍ୟ ଅସହଯୋଗ କଲେ ପୁଣି ଶିବସେନାରେ ସର୍ଜିକାଲ ଷ୍ଟ୍ରାଇକ୍ କରିପାରେ ବିଜେପି । କ୍ଷମତାର ଚାବି ବିଜେପି ହାତରେ ଥିବାରୁ ସିନ୍ଦେଙ୍କ ବିଧାୟକ ବି ଦଳ ବଦଳ କରିପାରନ୍ତି । ତେଣୁ ଦଳ ଉପରେ ନିୟନ୍ତ୍ରଣ ରଖିବା ସିନ୍ଦେଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ।

ସିନ୍ଦେଙ୍କ ପାଇଁ ଉଦ୍ଧବ ଚ୍ୟାଲେଞ୍ଜ

ଅଢେଇ ବର୍ଷ ତଳେ ଶିବସେନାକୁ ବିଭାଜନ କରି ୪୦ବିଧାୟକଙ୍କୁ ମହାୟୁତିରେ ମିଶାଇଥିଲେ ସିନ୍ଦେ । ବାଲା ସାହେବ ଠାକରେଙ୍କ ଲିଗାସି ହାସଲ କରିବାକୁ ଅନେକ ପରିଶ୍ରମ କରିଛନ୍ତି ସିନ୍ଦେ । ହେଲେ ସିନ୍ଦେଙ୍କ ଡିମୋସନ୍ ସହ ଉଦ୍ଧବଙ୍କ ପାଖରେ ବଡ଼ ସୁଯୋଗ ଆସିଛି । ବିଜେପି ପ୍ରଭାବରେ ସିନ୍ଦେ ଦଳ ଭାଙ୍ଗିଥିବା ନେଇ ଶିବସୈନିକଙ୍କୁ ବୁଝାଇ ନିଜ ପାଖକୁ ନେଇପାରନ୍ତି ଉଦ୍ଧବ । ମହାବିକାଶ ଅଘାଡିର ବଡ ପରାଜୟ ପରେ ଉଦ୍ଧବଙ୍କ ଶିବସେନା କଂଗ୍ରେସ ଓ ଏନସିପିର ହାତ ଛାଡି ମହାରାଷ୍ଟ୍ରରେ ଏକା ରାଜନୀତି କରିବା ନେଇ ଚର୍ଚ୍ଚା ହେଉଛି । ଏମିତି ହେଲେ ସିନ୍ଦେଙ୍କ ପାଇଁ ଅସୁବିଧା ବଢିପାରେ ।

ସିନ୍ଦେଙ୍କ ପାଇଁ ବିଏମସି ଅଗ୍ନିପରୀକ୍ଷା

ମହାରାଷ୍ଟ୍ର ରାଜନୀତିରେ ନିଜ ସ୍ଥିତି ସୁଦୃଢ କରିବାକୁ ହେଲେ ସିନ୍ଦେଙ୍କୁ ବିଏମସି ନିର୍ବାଚନ ଜିତିବାକୁ ପଡିବ । ନିର୍ବାଚନ ବିଜେପି ଓ ଏନସିପି ସହ ମିଶି ଲଢିବ ସିନ୍ଦେଙ୍କ ଶିବସେନା । ତେବେ ଟକ୍କର ଉଦ୍ଧବଙ୍କ ଶିବସେନା ସହ ହେବ । ଉଦ୍ଧବଙ୍କୁ ସହାନୁଭୁତି ଭୋଟ୍ ମିଳିପାରେ । ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ନକରିବା ନେଇ ମହାୟୁତିକୁ ମରାଠାଙ୍କ ଅସନ୍ତୋଷର ସାମନା ବି କରିବାକୁ ପଡିପାରେ ।

ହିନ୍ଦୁତ୍ବ ରାଜନୀତିର ହିରୋ କିଏ?

ମହାରାଷ୍ଟ୍ରରେ ଏବେ ହିନ୍ଦୁତ୍ବ ରାଜନୀତି କରୁଥିବା ତିନିଟି ଦଳ । ବିଜେପି, ସିନ୍ଦେଙ୍କ ଶିବସେନା ଓ ଉଦ୍ଧବଙ୍କ ଶିବସେନା । କଂଗ୍ରେସ ଓ ଏନସିପି ସହ ମିଶି ନିର୍ବାଚନ ଲଢିଥିଲା ଉଦ୍ଧବଙ୍କ ଶିବସେନା । ତେବେ ଦଳ କେବେବି ସାବରକର ଓ ମୁସଲିମ ଶାସକଙ୍କ ନାଁରେ ସହର ଭଳି ପ୍ରସଙ୍ଗରେ ଏମଭିଏ ହଁରେ ହଁ ମିଳାଇନି । ହିନ୍ଦୁତ୍ବ ରାଜନୀତି ପଥରେ ଚାଲି କେବଳ ଜଣେ ମୁସଲିମଙ୍କୁ ଟିକେଟ ଦେଇଥିଲା ୟୁବିଟି । ଯଦି ଉଦ୍ଧବ ଏମଭିଏ ଛାଡିଦିଅନ୍ତି, ତେବେ ମହାରାଷ୍ଟ୍ରରେ କଟ୍ଟର ହିନ୍ଦୁତ୍ବ ରାଜନୈତିକ ଯୁଦ୍ଧ ଦେଖିବା ଭଳି ହେବ । ତିନି ଦଳ ମଧ୍ୟରୁ କିଏ ଜିତିବ ଜନତାଙ୍କ ମନ? ନିଜକୁ କେମିତି ପ୍ରମାଣିତ କରିବେ ଏକନାଥ ସିନ୍ଦେ? ତାଉପରେ ନଜର ରହିବ ।

Comments are closed.