Latest Odisha News

BREAKING NEWS

ପାକିସ୍ତାନରେ ଭାରତୀୟ ସେନାର ଏୟାରଷ୍ଟ୍ରାଇକ; ସାମ୍ନାକୁ ଆସିଲା ଅସଦୁଦ୍ଦିନ ଓୱେସିଙ୍କ ବୟାନ

ହାଇଦ୍ରାବାଦ: ପାକିସ୍ତାନରେ ମଙ୍ଗଳବାର ମଧ୍ୟ ରାତ୍ରୀରେ ୯ଟି ଆତଙ୍କବାଦୀ ଶିବିର ଉପରେ ଭାରତୀୟ ସେନା ଏୟାରଷ୍ଟ୍ରାଇକ କରିଛି । ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି । ତେବେ ଏହି ଘଟଣା ପରେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ବୟାନ ସାମ୍ନାକୁ ଆସିଛି । ସେ ଏକ୍ସ ରେ ପୋଷ୍ଟ କରି ଏସମ୍ପର୍କରେ ନିଜର ମତ ରଖିଛନ୍ତି ।

ସେ ଲେଖିଛନ୍ତି ଯେ, ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡା ଉପରେ ଆମର ପ୍ରତିରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ମୁଁ ସ୍ୱାଗତ କରୁଛି । ପାକିସ୍ତାନୀ ଡିପ୍ ଷ୍ଟେଟ୍‌କୁ କଠୋର ଶିକ୍ଷା ଦେବାକୁ ପଡିବ ଯାହା ଦ୍ଵାରା ଆଉ ଏକ ପହଲଗାମ୍ ଘଟଣା ଆଉ କେବେ ନ ଘଟେ । ପାକିସ୍ତାନର ଆତଙ୍କବାଦ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ପଡିବ । ଜୟ ହିନ୍ଦ!

ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୧୫ ଦିନ ପରେ ଭାରତ ଏହି ବଡ଼ ଆକ୍ରମଣ କରିଛି । ଭାରତୀୟ ସେନା ପ୍ରାୟ ୧ଟା ୩୦ ରେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା । ଭାରତର ଆକ୍ରମଣରେ ଆତଙ୍କବାଦୀ ହାଫିଜ୍ ସୈଦର ଆଡ୍ଡା ଧ୍ୱଂସ ହୋଇଛି । ଲସ୍କର ମୁଖ୍ୟାଳୟକୁ ବହୁତ କ୍ଷତି ହୋଇଛି । ଆତଙ୍କବାଦୀ ମସୁଦ ଅଜହରର ଘାଟି ଉପରେ ଏକ କ୍ଷେପଣାସ୍ତ୍ର ମଧ୍ୟ ମାଡ କରାଯାଇଥିଲା । ମସୁଦ ଅଜହରର ବାହାବଲପୁର ଘାଟି ଉପରେ ଏକ କ୍ଷେପଣାସ୍ତ୍ର ପଡ଼ିଥିଲା । ଭାରତ ପିଓକେର ମୁଜାଫରାବାଦରେ ମଧ୍ୟ ଆକ୍ରମଣ କରିଥିଲା । ବାଘ ଆଡ୍ଡା ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ପିଓକେର ଧାମୋଲ ଏବଂ କୋଟଲିରେ ମଧ୍ୟ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି । ପାକିସ୍ତାନର ଅହମଦପୁରରେ ଥିବା ଆତଙ୍କବାଦୀ ଶିବିର ମଧ୍ୟ ଧ୍ୱଂସ ପାଇଯାଇଛି ।

ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମର ବୈସରନ ଉପତ୍ୟକାରେ ହୋଇଥିବା ଆତଙ୍କବାଦୀ ହମଲାରେ ୨୯ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା, ଯେଉଁଥିରେ ଅଧିକାଂଶ ହିନ୍ଦୁ ପର୍ଯ୍ୟଟକ ଥିଲେ ।

 

Comments are closed.