Latest Odisha News

BREAKING NEWS

ଆସାମ ମୁଖ୍ୟମନ୍ତ୍ରୀଙ୍କ ଉପରେ ଫିଡିକିଲେ ଓୱେସି: କହିଲେ-ଗାଈ କ୍ଷୀର କିମ୍ବା କୁକୁଡା ଅଣ୍ଡା ନ ଦେଲେ ବି ମିଆଁ ଭାଇ ଦାୟୀ

ନୂଆଦିଲ୍ଲୀ: ଖାଲି ରାଜଧାନୀ ଭୁବନେଶ୍ୱର ବା ଓଡ଼ିଶା ନୁହେଁ । ସାରା ଦେଶରେ ପରିବା ଦର ହୁ ହୁ ହୋଇ ବଢି ଚାଲିଛି । ତେବେ ପରିବା ଦର ବୃଦ୍ଧିକୁ ନେଇ ରାଜନୈତିକ ବୟାନବାଜି ବି ଜୋର ଧରିଛି । ପରିବା ଦର ବୃଦ୍ଧିକୁ ନେଇ ମୁହାଁମୁହିଁ ହୋଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଏବଂ AIMIM ମୁଖ୍ୟ ଅସଉଦ୍ଦିନ ଓୱେସି । ଦରଦାମ ବୃଦ୍ଧିକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବିବାଦୀୟ ବୟାନ ଦେବା ପରେ ଚିହିଁକି ଉଠିଛନ୍ତି ଓୱେସି।

ତେବେ ଦରଦାମ ବୃଦ୍ଧିକୁ ନେଇ କ’ଣ କହିଲେ ହିମନ୍ତ ବିଶ୍ୱଶର୍ମା ?  ଜୁଲାଇ ୧୩ ତାରିଖରେ ସାମ୍ବାଦିକମାନଙ୍କର ଏକ ପ୍ରଶ୍ନକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ, ଆସାମରେ ପନିପରିବା ଦରବୃଦ୍ଧି ପାଇଁ ମିଆଁ ଭେଣ୍ଡରମାନେ ଦାୟୀ । ଯେଉଁ ଭେଣ୍ଡରମାନେ ଉଚ୍ଚଦରରେ ପରିବା ବିକୁଛନ୍ତି ସେମାନଙ୍କ ମଧ୍ୟରୁ  ଅଧିକାଂଶ ମିଆଁ କମ୍ୟୁନିଟିର ବୋଲି ମୁଖ୍ୟମନ୍ତ୍ରୀ ଶର୍ମା କହିଥିଲେ । ଗାଁ ଗହଳିରେ ପରିବା ଦର ଶସ୍ତା ହୋଇଥିବାବେଳେ ସହରରେ ଏହାର ଦରଦାମ ବହୁତ ଅଧିକ ରହିଛି । ଗାଁର ପରିବା ସହରକୁ ଆସିଲେ ତାହାର ଦର ବଢି ଯାଉଛି । ଏହାର କାରଣ ଗୌହାଟିର ଅଧିକାଂଶ ଭେଣ୍ଡର ମିଆଁ ସଂପ୍ରଦାୟର । ଯଦି ଆସାମୀ ଲୋକମାନେ ପରିବା ବିକୁଥାନ୍ତେ ତେବେ ସେମାନେ ନିଜ ଲୋକଙ୍କୁ କ’ଣ ଏତେ ଅଧିକ ଦରରେ ବିକିଥାନ୍ତେ କି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ ।

ଏହାକୁ ନେଇ ଅଲ ଇଣ୍ଡିଆ ଡେମୋକ୍ରାଟିକ ଫ୍ରଣ୍ଟ (AIUDF) ପ୍ରେସିଡେଣ୍ଟ ବଦରୁଦ୍ଦିନ ଅଜମଲ କହିଥିଲେ, ‘ମିଆଁ ସଂପ୍ରଦାୟ ବିନା ଆସାମ ଅଧୁରା ରହିଯିବ ।’ ଅନ୍ୟପକ୍ଷେ AIMIM ମୁଖ୍ୟ ଅସଉଦ୍ଦିନ ଓୱେସି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି,  ମୁଖ୍ୟମନ୍ତ୍ରୀ ନିଜ ବ୍ୟକ୍ତିଗତ ବିଫଳତାର ଦୋଷ ମଧ୍ୟ ମିଆଁ ଭାଇଙ୍କ ଉପରେ ଲଦୁଛନ୍ତି । ଯେଉଁମାନେ ପନିପରିବା ଚଢା ଦରରେ ବିକ୍ରି କରୁଛନ୍ତି ସେମାନେ କିଏ ? ମିଆଁ ବେପାରୀ ସେମାନେ ଯେଉଁମାନେ ତୁମକୁ ଉଚିତ ଦରରେ ପରିବା ବିକ୍ରି କରୁଛନ୍ତି ବୋଲି ଓୱେସି କହିଛନ୍ତି ।

ସେ ଆହୁରି କହିଛନ୍ତି, ‘ଦେଶରେ ଏମିତି ଏକ ଗୋଷ୍ଠୀ ଅଛନ୍ତି ଯେଉଁମାନେ ତାଙ୍କ ଘରେ ଗାଈ କ୍ଷୀର ନ ଦେଲେ କିମ୍ବା କୁକୁଡା ଅଣ୍ଡା ନ ଦେଲେ ମିଆଁଙ୍କୁ ହିଁ ଦୋଷୀ କରିଥାନ୍ତି । ସେମାନେ ନିଜ ବ୍ୟକ୍ତିଗତ ବିଫଳତାର ଦୋଷ ବି ମିଆଁ ଭାଇଙ୍କୁ ଦେଇଥାନ୍ତି ।’

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁସଲମାନ ଦେଶ ଗସ୍ତକୁ  କଟାକ୍ଷ କରି କହିଛନ୍ତି,  ‘ପ୍ରଧାନମନ୍ତ୍ରୀ ଏବଂ ବିଦେଶୀ ମୁସଲମାନଙ୍କ ମଧ୍ୟରେ ଗଭୀର ବନ୍ଧୁତା ରହିଛି । ସେମାନଙ୍କଠାରୁ ଟମାଟର, ପାଲକ, ଆଳୁ ଆଦି ମାଗିଆଣି କାମ ଚଳାଆ ବୋଲି ଥଟ୍ଟା କରି କହିଛନ୍ତି ।’

ସ୍ଥାନୀୟ ଭାଷାରେ ମିଆଁ ଅର୍ଥ ବଙ୍ଗାଳାଭାଷୀ ମୁସଲମାନ । ସେମାନେ ଆସାମରେ ରହୁଛନ୍ତି କିନ୍ତୁ ମୂଳ ରୂପରେ ସେମାନେ ବାଂଲାଦେଶରୁ ଆସିଥିବା ବିଶ୍ୱାସ କରାଯାଏ । ଆସାମ ମୁଖ୍ୟମନ୍ତ୍ରୀ ଏହି ସଂପ୍ରଦାୟ ବିରୋଧରେ ଅଭିଯୋଗ ଆଣନ୍ତି ଯେ ସେମାନେ ଆହମିୟା ସଂସ୍କୃତିକୁ ବିକୃତ କରୁଛନ୍ତି ।

Leave A Reply

Your email address will not be published.