Latest Odisha News

BREAKING NEWS

କାବୁଲ ଛାଡ଼ିବା ପରେ ପ୍ରଥମ ଥର ସାମନାକୁ ଆସିଲେ ଅଶ୍ରଫ ଘନି, ଦେଶ ଛାଡ଼ିବାର କାରଣ କହିଲେ

ଆବୁଧାବି: ଦେଶ ଛାଡ଼ି ପଳାଇବା ପରେ ପ୍ରଥମ ଥର ସୋସିଆଲ୍ ମିଡିଆରେ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ ଘନି । କାହିଁକି ଦେଶ ଛାଡ଼ିଲେ ଓ ସାଙ୍ଗରେ କଣ ନେଇ ଆସିଛନ୍ତି ସେ କହିଛନ୍ତି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତାରେ ଅଶ୍ରଫ ଘନି କହିଛନ୍ତି, ଶାନ୍ତି ପ୍ରକ୍ରିୟା ଫେଲ୍ ମାରିବା ପରେ ରକ୍ତପାତ ରୋକିବାକୁ ଦେଶ ଛାଡିଲେ ।

ଅଶ୍ରଫ ଘନି କହିଛନ୍ତି, ତାଲିବାନଙ୍କ ସହ କଥାବାର୍ତ୍ତାରେ କୌଣସି ନିଷ୍କର୍ଷ ବାହାରିବାର ସମ୍ଭାବନା ନଥିଲା । ସେ ଦେଶ ଛାଡ଼ି ନଥିଲେ ରକ୍ତର ବନ୍ୟା ବହି ଥାଆନ୍ତା । ସେଭଳି ସ୍ଥିତି ସେ ଦେଖି ପାରି ନଥାଆନ୍ତେ । ସେଥିପାଇଁ ସେ ସୁରକ୍ଷା ଅଧିକାରୀଙ୍କ ପରାମର୍ଶରେ ଦେଶ ଛାଡ଼ିଲେ ବୋଲି କହିଛନ୍ତି ।ଆସିବା ବେଳେ ଗୋଟିଏ ସ୍ୟାଣ୍ଡାଲ୍ ଓ ଡ୍ରେସ ଛଡ଼ା କିଛି ଆଣି ନାହାନ୍ତି ବୋଲି କହିଛନ୍ତି ଅଶ୍ରଫ ଘନି ।

ଦେଶରୁ ଟଙ୍କା ନେଇ ଚମ୍ପଟ ମାରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଶ୍ରଫ ଘନି । ସେ କହିଛନ୍ତି, ସେ ଦେଶରୁ ଟଙ୍କା ନେଇ ଆସି ନାହାନ୍ତି । ଶାନ୍ତିରେ କ୍ଷମତା ହସ୍ତାନ୍ତର କରିବାକୁ ଚାହୁଁଥିଲେ । ଇଚ୍ଛା ବିରୋଧରେ ତାଙ୍କୁ ଦେଶରୁ ଅଲଗା ରହିବାକୁ ପଡ଼ିଲା । ଯେଉଁମାନେ ତାଙ୍କୁ ପଳାତକ କହୁଛନ୍ତି ସେମାନେ ତାଙ୍କ ବାବଦରେ କିଛି ଜାଣି ନାହାନ୍ତି ବୋଲି ଘନି କହିଛନ୍ତି ।

ଅଶ୍ରଫ ଘନି କହିଛନ୍ତି, ପୁଣି ଥରେ ଆଫଗାନିସ୍ତାନ ଫେରିବାକୁ ସେ ଚାହାନ୍ତି । ଏଥିପାଇଁ କଥାବାର୍ତ୍ତା ଜାରି ରହିଛି । ବର୍ତ୍ତମାନ ସରକାର ଗଠନ ନେଇ ତାଲିବାନୀ ନେତା ଓ ପୂର୍ବରୁ ସରକାରରେ ଥିବା ଅଧିକାରୀଙ୍କ ଭିତରେ ଆଲୋଚନାକୁ ସେ ସମର୍ଥନ କରୁଛନ୍ତି । ୟୁଏଇର ଶରଣ ନେବା ପରେ ସେ ସ୍ୱଦେଶ ଫେରିବା ନେଇ କଥାବାର୍ତ୍ତା ଜାରି ରଖିଛନ୍ତି ।

Leave A Reply

Your email address will not be published.