Latest Odisha News

ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିଲା ପାସେଞ୍ଜର ଟ୍ରେନ୍, ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ବାଲେଶ୍ଵର: ନୀଳଗିରି ରୁ ବାଲେଶ୍ୱରକୁ ଗଡ଼ିଲା ମେମୁ ଟ୍ରେନ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସବୁଜ ପତାକା ଦେଖାଇ ଏହି ଟ୍ରେନ୍ ର ଶୁଭାରମ୍ଭ କରିଛନ୍ତି । ୮ଟି ବଗି ବିଶିଷ୍ଟ ଏହି ଟ୍ରେନ୍ ରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବଗି ରହିଛି । ମୋଟ୍ ୧୬ କିଲୋମିଟର ପର୍ଯ୍ୟନ୍ତ ଏହି ଟ୍ରେନ ଚଳାଚଳ କରିବ । ଏହାସହ ବାଲେଶ୍ୱର ଗୋପୀନାଥପୁର ନୀଳଗିରି ପାସେଞ୍ଜର ଲାଇନ ଲୋକାର୍ପିତ ହୋଇଛି ।

ଏହା ସହ ବେତନଟୀରେ ସବ୍ ୱେ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରେଳମନ୍ତ୍ରୀ । ବେତନଟୀ ଷ୍ଟେସନଠାରେ ଅଧିକ ଯାତ୍ରୀ ସୁବିଧା ଓ ନିରାପତ୍ତା ବ୍ୟବସ୍ଥା ପାଇଁ ଏହି ସବ୍-ୱେ ର ନିର୍ମାଣ କରାଯିବ । ଏହି ଷ୍ଟେସନକୁ ଯାତ୍ରୀମାନଙ୍କ ପ୍ରବେଶ ଓ ପ୍ରସ୍ଥାନ ସୁନିଶ୍ଚିତ କରିବା ସହ ସ୍ଥାନୀୟ ଲୋକେ ରେଳ ଟ୍ରାକ୍ ଅତିକ୍ରମ ନକରି ସବ୍ ୱେ ଦେଇ ଯାତାୟତ କରିପାରିବେ । ସେହିପରି ବେତନଟୀରେ ପିଆରଏସ୍ ବୁକିଂ ଓ କାଉଣ୍ଟରର ଉଦଘାଟନ ମଧ୍ୟ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ ଉପସ୍ଥିତ ଥିଲେ ।

ଲୋକାର୍ପଣ କାର୍ଯ୍ୟକ୍ରମ ପୂର୍ବରୁ ରେଳମନ୍ତ୍ରୀ ରେମୁଣାରେ ଥିବା କ୍ଷୀରଚୋରା ଗୋପିନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ଦର୍ଶନ ପରେ କମିଟି ସହ ଆଲୋଚନା କରିଥିଲେ । କ୍ଷୀରଚୋରା ଗୋପୀନାଥ ଯାତ୍ରୀ ନିବାସ ପାଇଁ ୫୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଏହା ପରେ ରେମୁଣାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Comments are closed.