ନୂଆଦିଲ୍ଲୀ: ଏସିଆ କପ ଟି୨୦ କ୍ରିକେଟ ପାଇଁ ଖୁବ ଶୀଘ୍ର ଭାରତୀୟ ଦଳର ଘୋଷଣା କରାଯିବ । ସୂର୍ଯ୍ୟକୁମାର ଯାଦବ ଫିଟ ହୋଇଥିବାରୁ ସେ ଦଳର ନେତୃତ୍ୱ ନେବା ଏକପ୍ରକାର ସ୍ଥିର ହୋଇଯାଇଛି । ତେବେ ଚୂଡାନ୍ତ ଦଳର ରୂପରେଖ ସମ୍ମୁଖକୁ ଆସି ନ ଥିଲେ ମଧ୍ୟ ଫିନିଶର ରିଙ୍କୁ ସିଂ ତାଙ୍କ ସ୍ଥାନ ବଜାୟ ରଖିବା କଷ୍ଟକର ହୋଇପାରେ । ରିଙ୍କୁ ଟି୨୦ ବିଶ୍ୱକପରେ ଭାରତୀୟ ଦଳରେ ଷ୍ଟାଣ୍ଡବାଇ ଖେଳାଳି ଭାବେ ଯୋଗ ଦେଇଥିଲେ । ଆଇପିଏଲ ୨୦୨୪ରେ ୧୧୩ ଓ ୨୦୨୫ରେ ସେ ମାତ୍ର ୧୩୪ ବଲ ଖେଳିଛନ୍ତି । ଏହା ମାଧ୍ୟମରେ ସେ ପ୍ରଭାବିତ କରିପାରି ନାହାନ୍ତି । ଅଭିଷେକ ଶର୍ମା, ସଞ୍ଜୁ ସାମସନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ୫ଟି ସ୍ଥାନ ଏକପ୍ରକାର ସୁରକ୍ଷିତ ରଖିଛନ୍ତି ।
ଯଶସ୍ୱୀ ଜୈସୱାଲ ଓ ଶୁଭମନ ଗିଲଙ୍କୁ ଦଳରେ ଯଦି ସାମିଲ କରାଯାଏ ତେବେ କିଛିଟା ପରିବର୍ତନ କରାଯାଇପାରେ । ଅବଶ୍ୟ ଏହାର ସମ୍ଭାବନା କ୍ଷୀଣ ରହିଛି । ଶ୍ରେୟାଶ ଆୟାର ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ତାଙ୍କୁ ମଧ୍ୟ ସ୍ଥାନ ମିଳିବା କଷ୍ଟ । ରିଙ୍କୁଙ୍କ ତୁଳନାରେ ଶିବମ ଦୁବେ ପ୍ରଭାବିତ କରିଛନ୍ତି । ନୀତିଶ ରେଡ୍ଡୀ ଫିଟ ନ ଥିବାରୁ ଦୁବେ ଓ ୱିକେଟକିପର ଜୀତେଶ ଶର୍ମାଙ୍କୁ ଫିନିଶର ଦାୟିତ୍ୱ ମିଳିପାରେ । ଏହା ହେଲେ ରିଙ୍କୁ ତାଙ୍କ ସ୍ଥାନ ବଂଚାଇ ରଖିପାରିବେ ନାହିଁ । ଚୟନ କମିିଟି ମୂଖ୍ୟ ଅଜିତ ଅଗରକର, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ କୋଚ ଗୌତମ ଗମ୍ଭୀର ଭଲ ପ୍ରଦର୍ଶନ କରୁଥିବା ଦଳରେ ସେଭଳି ଆଖିଦୃଶିଆ ପରିବର୍ତନ କରିବାକୁ ଚାହିଁବେ ନାହିଁ ।
Comments are closed.