Latest Odisha News

BREAKING NEWS

ଏସିଆନ ଗେମ୍ସ: ଏଥର ଭାରତର ଟାର୍ଗେଟ ୧୦୦ ପଦକ

ଏସିଆନ ଗେମ୍ସର ୧୯ତମ ସଂସ୍କରଣ ଆରମ୍ଭ ହୋଇଯାଇଛି । ଭାରତ ଏ ପର୍ଯ୍ୟନ୍ତ ଏସିଆନ ଗେମ୍ସରେ ୧୦୦ ପଦକ ମାର୍କ ପାର କରିପାରି ନାହିଁ । ଏଥର ଏହି ଲ୍ୟାଣ୍ଡ ମାର୍କ ଛୁଇଁବା ପାଇଁ ଆମ ଆଥଲେଟ ପ୍ରସ୍ତୁତ ଅଛନ୍ତି । ୭୩ ବର୍ଷରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୮ରେ ହୋଇଥିଲା । ଏହି ସଂସ୍କରଣରେ ଭାରତ ୭୦ ପଦକ ଜିତିଥିଲା । ଚଳିତ ସଂସ୍କରଣରେ ୬୫୫ ଆଥଲେଟ ଭାରତ ସମ୍ମାନ ପାଇଁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ । ପୂର୍ବତନ ମହାନ ଆଥଲେଟ ପିଟି ଉଷା, ଅଞ୍ଜୁ ବବି ଜର୍ଜଙ୍କ ସମେତ ଅନ୍ୟମାନେ ଏଥର ଭାରତ ୧୦୦ ପଦକ ଜିତିବା ନେଇ ଆଶାୟୀ ଅଛନ୍ତି । ଆସନ୍ତୁ ନଜର ପକାଇବା କେଉଁ ଇଭେଂଟରେ ଭାରତର ପଦକ ସମ୍ଭାବନା ଅଧିକ ।

ଜ୍ୟାଭେଲିନ ଥ୍ରୋରେ ନୀରଜ ଚୋପ୍ରାଙ୍କ ନିକଟରୁ ଏକ ସ୍ୱର୍ଣ୍ଣ ନିଶ୍ଚିତ ମନେ କରାଯାଉଛି । ସେହିପରି କବାଡି(୨ ସ୍ୱର୍ଣ୍ଣ), କ୍ରିକେଟ (୨ ସ୍ୱର୍ଣ୍ଣ) ଓ ହକିରେ ଗୋଟିଏ ସ୍ୱର୍ଣ୍ଣ ଆଶା କରାଯାଉଛି । ରେସଲିଂରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ୧୨ ରେସଲର ଅଂଶଗ୍ରହଣ କରିବେ । ଦୀପକ ପୁନିଆ, ସୋନମ ମଲିକ ଓ ଅନ୍ତିମ ପଙ୍ଘଲଙ୍କ ନିକଟରୁ ସ୍ୱର୍ଣ୍ଣ ଠାରୁ କମ କିଛି ଆଶା କରାଯାଉ ନାହିଁ । ରେସଲିଂରେ ୭ରୁ ୮ ପଦକ ଭାରତ ଜିତପାରେ । ବକ୍ସିରେ ନିଖତ ଜରୀନ, ଲଭଲିନା ବୋରଗୋହେନ ଓ ଶିବା ଥାପାଙ୍କଠାରୁ ସ୍ୱର୍ଣ୍ଣ ସମେତ ଅତି କମରେ ୫ ପଦକ ମିଳିବା ସମ୍ଭାବନା ରହିଛି ।

୩୩ଜଣ ଶୁଟରଙ୍କ ନିକଟରୁ ଭାରତ ଅତି କମରେ ୩ରୁ୫ ସ୍ୱର୍ଣ୍ଣ ଓ ୭ରୁ ବ୍ରୋଞ୍ଜ ଆଶା କରୁଛି । ପିଭି ସିନ୍ଧୁ, ଏଚଏସ ପ୍ରଣୟ, କିଦାମ୍ବି ଶ୍ରୀକାନ୍ତଙ୍କ ଉପସ୍ଥିତି ଭାରତକୁ ବ୍ୟାଡମିଂଟନରେ ୩ ସ୍ୱର୍ଣ୍ଣ ସମ୍ଭାବନା ସୃଷ୍ଟି କରୁଛି । ଟେନିସରେ ୨ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ତୀରନ୍ଦାଜୀରେ ୬ରୁ ୭ ପଦକ ମିଳିବା ଏକପ୍ରକାର ନିଶ୍ଚିତ ।

ଏଥର ଆଥଲେଟିକ୍ସରେ ଭାରତ ସର୍ବାଧିକ ପଦକ ହାତେଇପାରେ । ୨୦୧୮ରେ ୨୦ ପଦକ ପାଇଥିବା ବେଳେ ଏଥର ଏହାକୁ ୩୦କୁ ଛୁଇଁପାରେ । ନୀରଜ ଚୋପ୍ରା, କିଶୋର ଜେନା(ଜାଭେଲିନ), ତେଜିନ୍ଦର ପାଲ ସିଂ(ଶଟପୁଟ), ସୀମା ପୁନିଆ (ଡିସକସ), ମୁରଲୀ ଶ୍ରୀଶଙ୍କର(ଲଙ୍ଗଜମ୍ପ), ଅବଦୁଲ ଅବୁବକର (ଟ୍ରିପଲ ଜମ୍ପ), ଅବିନାଶ ସାବେଲ (୩୦୦୦ ମିଟର ଷ୍ଟିପଲ ଚେଜ), ପୁରୁଷ ରିଲେ ଟିମଠାରୁ ସ୍ୱର୍ଣ୍ଣ ପଦକ ହାସଲ ସମ୍ଭାବନା ରହିଛି । ଏହା ବ୍ୟତୀତ ସ୍କ୍ୱାଶ, ଭାରୋତୋଳନରେ ଆମ ଆଥଲେଟ ବାଜି ମାରି ପାରନ୍ତି । ଏ ସବୁ ସତ୍ୱେ ଭାରତ ଏବେ ବି ୧୦୦ ପଦକଠାରୁ ପଛରେ ରହିଯାଉଛି ।

ଓଭରାଲ ୪ଥର ୫୦ରୁ ଅଧିକ ପଦକ ଜିତିପାରିଥିବା ଭାରତର ପ୍ରଦର୍ଶନସ୍ତର ସୁଧୁରିବାରେ ଲାଗିଛି । ଆଶା ଓ ଉଦ୍ୟମ ନ ରହିଲେ ସଫଳତା ହାସଲ କରିହୁଏ ନାହିଁ । ପ୍ରତ୍ୟେକ ଭାରତୀୟ ଆଥଲେଟ ଯଦି ଦେଶ ପାଇଁ ମନପ୍ରାଣ ଦେଇ ଦକ୍ଷତା ପ୍ରଦର୍ଶନ କରିବେ ତେବେ ଏହି ଲ୍ୟାଣ୍ଡମାର୍କ ଛୁଇଁବା କିଛି ବଡ କଥା ନୁହେଁ ।

Leave A Reply

Your email address will not be published.