Latest Odisha News

BREAKING NEWS

ଆସିକା ଥାନା ଦେଶରେ ଶ୍ରେଷ୍ଠ;ପୁରସ୍କୃତ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ

ବ୍ରହ୍ମପୁର: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଦେଶର ଶ୍ରେଷ୍ଠ ୩ଟି ଥାନାର ନାମ ଘୋଷଣା କରାଯାଇଛି। ଏଥିରେ ଏକ ନମ୍ବରରେ ରହିଛି ଗଞ୍ଜାମ ଜିଲାର ଆସିକା ଥାନା। ୨୦୨୨ ମସିହା ପାଇଁ ଆସିକା ଥାନାକୁ ଶ୍ରେଷ୍ଠ ଥାନା ଭାବେ ଘୋଷଣା ହୋଇଛି। ଆସନ୍ତା ଜାନୁୟାରୀ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ପିୟୁଏସ୍‌ଏ କ୍ୟାମ୍ପସରରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଡିଜି/ଆଇଜି ସମ୍ମିଳନୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏହି ପୁରସ୍କାର ପ୍ରଦାନ କରିବେ। ବ୍ୟକ୍ତିଗତ ଭାବେ ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିବେ। ଏଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଥାନା ଆଇଆଇସିଙ୍କୁ ନିର୍ଦେଶ ଦେବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ରାଜ୍ୟ ପୋଲିସ ମହାନିର୍ଦେଶକ ସୁନିଲ କୁମାର ବଂଶଲଙ୍କୁ ଚିଠି କରାଯାଇଛି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ବୃତ୍ତିଗତ ପାରଦର୍ଶିତା, ସ୍ୱଚ୍ଛତା, ନିଷ୍ଠାପରତା, ତ୍ୱରିତ କାର୍ଯ୍ୟାନୁଷ୍ଠାନ, ବ୍ୟବହାର, ପ୍ରତିବଦ୍ଧତା, ଦଣ୍ଡବିଧାନ, ଦଳ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା ବ୍ୟବହାର, ସ୍ୱଚ୍ଛତା ଏବଂ ନିର୍ଦ୍ଧାରିତ ସମୟସୀମା ଆଦି କାର୍ଯ୍ୟଗୁଡ଼ିକୁ ନେଇ ସର୍ଭେ ହୋଇଥିଲା। ଏହି ସର୍ଭେରେ ପ୍ରଥମ ହୋଇଛି ଆସିକା ଥାନା। ସର୍ବଭାତୀୟ ସ୍ଥରରେ ପ୍ରଥମ ସ୍ଥାନ ଅଧିକାର କରିବା ଓଡ଼ିଶା ପୋଲିସ ଇତିହାସରେ ପ୍ରଥମ ବୋଲି କୁହାଯାଉଛି।
ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଡିସେମ୍ବରରେ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ତରଫରୁ ଆସିକା ଥାନାକୁ ଦକ୍ଷତା ଏବଂ ପରିଚାଳନା ଦିଗରେ ରାଜ୍ୟର ଶ୍ରେଷ୍ଠ ଥାନା ଭାବେ ଘୋଷଣା କରାଯାଇଥିଲା। କ୍ରାଇମ ରେକର୍ଡ ବ୍ୟୁରୋ ରାଜ୍ୟରେ ଥିବା ଥାନାଗୁଡ଼ିକୁ ନେଇ ବିଭିନ୍ନ ତଥ୍ୟ ସମ୍ମଳିତ ଡାଟା ବେସ୍‌ ପ୍ରସ୍ତୁତ କରିଥିଲା। ଆସିକା ଥାନା ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଥାନାରେ ଦୈନନ୍ଦ୍ବିନ କାର୍ଯ୍ୟ ପରିଚାଳନା, ତ୍ବରିତ ସେବା ପ୍ରଦାନ ଓ ବ୍ୟବସ୍ଥା, ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ସହିତ ମାମଲାର ଉପଯୁକ୍ତ ପରିଚାଳନା, ଜାର୍ଜସିଟ୍‌ ଦାଖଲ, ଅପରାଧ ଏବଂ ଅପରାଧିକଙ୍କ ତଥ୍ୟ ସଂଗ୍ରହ ସହିତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପୁରସ୍କୃତ ହୋଇଥିଲା।

 

Leave A Reply

Your email address will not be published.