Latest Odisha News

ରାଜ୍ୟପାଳଙ୍କୁ ଭେଟିଲେ ଏଏସଓଙ୍କ ପତ୍ନୀ, କହିଲେ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ମିଳିଛି

ଭୁବନେଶ୍ୱର: ପୁରୀରେ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଥିବା ଅଭିଯୋଗ ଆଣିଥିବା ଏଏସ୍ଓଙ୍କ ପତ୍ନୀଙ୍କୁ ନ୍ୟାୟ ଦେବାକୁ ରାଜ୍ୟପାଳ ରଘୁବର ଦାସ ପ୍ରତିଶ୍ରୁତି ଦେଇଛନ୍ତି। ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍ଓ) ବୈକୁଣ୍ଠ ପ୍ରଧାନଙ୍କ ପତ୍ନୀ ସୟୋଜୀ ପ୍ରଧାନ ଶନିବାର ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ତାଙ୍କ ଅଭିଯୋଗ ଶୁଣିବା ପାଇଁ ରାଜ୍ୟପାଳଙ୍କୁ ଭେଟିଥିଲେ।

ରଥଯାତ୍ରା ସମୟରେ ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ମୋ ସ୍ୱାମୀଙ୍କୁ ମାଡ଼ ମାରିବା ଘଟଣାକୁ ରାଜ୍ୟପାଳ ଧୈର୍ଯ୍ୟର ସହ ଶୁଣିଥିଲେ। ମୁଁ ତାଙ୍କୁ ଘଟଣାର ବିବରଣୀ କହିଥିଲି। ଏହାପରେ ସେ ମୋତେ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଲଳିତଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପଚରାଯିବାରୁ ସେ କହିଛନ୍ତି, ଆମକୁ ନ୍ୟାୟ ଦେବା ପାଇଁ ରାଜ୍ୟପାଳ କ’ଣ ପଦକ୍ଷେପ ନେଉଛନ୍ତି ତାହା ଆମେ ଧୈର୍ଯ୍ୟର ସହ ଅପେକ୍ଷା କରିବୁ। ତା’ପରେ ଆମେ ଆମର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବୁ।

ଏହା ପୂର୍ବରୁ ସୟୋଜୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଦିନେ ଦୁଇ ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ପ୍ରତିଶ୍ରୁତି ଦେଇଥିଲେ।

ଏଏସ୍ଓ ପ୍ରଧାନ ଲଳିତ ଓ ଅନ୍ୟ ୫ ଜଣଙ୍କ ବିରୋଧରେ ଶୁକ୍ରବାର ପୁରୀ ସି ବିଚ୍ ଥାନାରେ ଅଭିଯୋଗ କରିଥିଲେ। ଗତ ଜୁଲାଇ ୭ ତାରିଖରେ ପୁରୀରେ ରଥଯାତ୍ରା ରାତିରେ ରାଜଭବନରେ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

Comments are closed.