Latest Odisha News

ବିରୋଧୀଙ୍କ ହଟ୍ଟଗୋଳ, ସାଢେ ୧୧ ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଆଜି ବିଜେପି ସରକାରର ବିଧାନସଭା ପ୍ରଥମ ଅଧିବେଶନର ଦ୍ବିତୀୟ ଦିନ । ପ୍ରଥମ ଦିନ ଭଳି ଦ୍ବିତୀୟ ଦିନ ଆରମ୍ଭରୁ ହିଁ ସେହି ସମାନ ପରିସ୍ଥିତି । ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣା ନେଇ ଗୃହ ନାରାବାଜି କରିଛି ବିରୋଧୀ ବିଜେଡି । ପ୍ରଶ୍ନକାଳ ଆରମ୍ଭରୁ ହିଁ ହଟ୍ଟଗୋଳ ଆରମ୍ଭ କରିଛି । ଯାହା ଅସମ୍ଭାଳ ହେବାରୁ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।

ତେବେ ୧୫ ବର୍ଷ ବିରୋଧୀ ଗାଦିରେ ବସିଥିବା ବିଜେପି, ଏଥର ଶାସକ ଗାଦିରେ । ୨୪ ବର୍ଷ ଧରି ଶାସକ ଗାଦିରେ ବସିଥିବା ବିଜେଡି ଏବେ ବିରୋଧୀ ଗାଦିରେ । ସେଥପାଇଁ ଏଥର ବିଧାନସଭା ଉପରେ ସମସ୍ତଙ୍କ ନଜର । ସେପଟେ କିନ୍ତୁ ବିରୋଧୀ ଗାଦିରେ ବସିବା ପରେ ଏବେ ଆକ୍ରମଣାତ୍ମକ ହୋଇଉଠିଛି ବିଜେଡି । ଯାହାର ଝଲକ ଗୃହରେ ଦେଖିବାକୁ ମିଳିଥିଲା । ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଗୃହ ତ୍ୟାଗ କରିଥିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ସିଟରୁ ଉଠି ବିଧାୟକଙ୍କ ସମେତ ରାଜ୍ୟପାଳଙ୍କ ଭାଷଣ ବେଳେ ଗୃହରୁ ଚାଲିଯାଇଥିଲେ । ସେହିପରି କଂଗ୍ରେସ ବିଧାୟକମାନେ ମଧ୍ୟ ଗୃହ ତ୍ୟାଗ କରିଥିଲେ । ଏହାପରେ ଶୋକ ପ୍ରସ୍ତାବ ଆଗତ ହେବା ପରେ ଗତକାଲି ପ୍ରଥମ ଦିନରେ ଗୃହରେ କୌଣସି କାର୍ଯ୍ୟ ନକରାଯାଇ ଗୃହ ସ୍ଥଗିତ କରାଯାଇଥିଲା ।

Comments are closed.