ଭୁବନେଶ୍ବର: ଆସନ୍ତା ୨୬ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ଏଥିପାଇଁ ଦିନକ ପୂର୍ବରୁ ଅର୍ଥାତ୍ ଆସନ୍ତା ୨୫ ତାରିଖରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ମନ୍ତ୍ରୀ କହିଛନ୍ତି, ବିଧାନସଭାର ଅତିରିକ୍ତ ବଜେଟ ପାଇଁ ଆସନ୍ତା ୨୬ରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଚାଲୁରହିବ । ଏଥିପାଇଁ ୨୫ରେ ସର୍ବଦଳୀୟ ବୈଠକ ବସିବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହ ଆଲୋଚନା ହୋଇଛି । ଏହି ଅଧିବେଶନକୁ କିପରି ସୁରୁଖୁରୁରେ ପରିଚାଳନା କରାଯିବ ସେନେଇ ବାଚସ୍ପତି ସମସ୍ତଙ୍କର ସହଯୋଗ ଲୋଡ଼ିବେ । ଲୋକଙ୍କ ହିତରେ ବିଭିନ୍ନ ବଜେଟ୍ ପାରିତ ହେବ ।
ସେପଟେ ପୂର୍ବର ଅଧିବେଶନକୁ ଦେଖିବାକୁ ଗଲେ ବିରୋଧୀ ଅନେକ ହଙ୍ଗାମା କରିଚନ୍ତି । ଏଥର ମଧ୍ୟ ସମାନ ପରିସ୍ଥିତି ଉପୁଜିବା ନେଇ ସମ୍ଭାବନା ରହିଛି । ଆମ୍ବ ଟାକୁଆ ଖାଇ ମୃତ୍ୟୁ ପ୍ରସଙ୍ଗ, ରାଜ୍ୟରେ ବଢୁଥିବା ଦୁଷ୍କର୍ମ ଭଳି ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ ।