Latest Odisha News

BREAKING NEWS

ଗହଣା ଦୋକାନରୁ ସୁନା ଅଳଙ୍କାର ନେଇ ଅନଲାଇନରେ ଗେମ୍‌ ଖେଳିଦେଲେ ଆସିଷ୍ଟାଣ୍ଟ ମ୍ୟାନେଜର୍‌

ବ୍ରହ୍ମପୁର: ବ୍ରହ୍ମପୁର ସହର ସାନବଜାର ସ୍ଥିତ ଏକ ଜୁଏଲର୍ସ ସୋ’ରୁମରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନା ଗହଣା ଗାଏବ ହୋଇଯାଇଛି। ଏହି ସୋ’ରୁମରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ସୀମାଞ୍ଚଳ ପାତ୍ର ଏହି ସୁନା ଅଳଙ୍କାର ନେଇଥିବା ନେଇ ବଡ଼ବଜାର ଥାନାରେ ଅଭିଯୋଗ ହୋଇଛି। ଏହି ସୁନା ଅଳଙ୍କାରକୁ ସେ ନେଇ ବ୍ୟାଙ୍କରେ ବନ୍ଧକ ରଖି ୧୯ ଲକ୍ଷ ଟଙ୍କାର ଋଣ ଉଠାଣ କରିଥିଲେ। ପରେ ସେହି ଟଙ୍କାରେ ଅନଲାଇନ ଗେମ୍‌ ଖେଳି ଦେଇଥିବା ତଦନ୍ତରୁ ଜଣାପଡ଼ିଛି। ଉକ୍ତ ସୋ’ରୁମ୍‌ର ମ୍ୟାନେଜର ଏନେଇ ବଡ଼ବଜାର ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି।

ସୂଚନାପ୍ରକାରେ, ସାନବଜାର ଛକ ଠାରେ ଥିବା ଜୁଏଲର୍ସ ସୋ’ରୁମ୍‌ରେ ବ୍ରଜନଗରର ତୃତୀୟ ଲେନ୍‌ର ସୀମାଞ୍ଚଳ ପାତ୍ର ବହୁ ବର୍ଷ ହେବ ଅସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ଗତ କିଛି ଦିନ ତଳେ ସେ କେତେକ ଗ୍ରାହକଙ୍କ ଘରକୁ ସୁନା ଅଳଙ୍କାର ବିକ୍ରି କରିବାକୁ ନେଉଛି ବୋଲି କହି ସୋ’ରୁମରୁ ୫୨୨.୯ ଗ୍ରାମର ସୁନା ଅଳଙ୍କାର ନେଇଥିଲେ। ସେ ନେଇଥିବା ସୁନା ଅଳଙ୍କାର ମଧ୍ୟରେ ୧୮.୪ ଗ୍ରାମ ଓଜନର ଏକ ସୁନା କାନଫୁଲ, ୧୬୧ ଗ୍ରାମ ଓଜନର ବ୍ରେସଲେଟ, ୨୧୧ ଗ୍ରାମର ଚେନ୍, ୯୭.୫ ଗ୍ରାମର ଚେନ୍, ୩୪.୭ ଗ୍ରାମର ସୁନା ବ୍ରେସଲେଟ ରହିଥିଲା। ଏହାର ଅନୁମାନିକ ମୂଲ୍ୟ ୩୩ ଲକ୍ଷ ୩୮ ହଜାର ଟଙ୍କା ହେବ। ହେଲେ ସୀମାଞ୍ଚଳ ଏହି ସବୁ ସୁନା ଅଳଙ୍କାର ଧରି ସୋ’ରୁମରୁ ଗ୍ରାହକଙ୍କ ଘରକୁ ବିକ୍ରି କରିବାକୁ ନଯାଇ ନିଜ ଆର୍ଥିକ ଆବଶ୍ୟକତା ମେଣ୍ଟାଇବାକୁ ଭିନ୍ନ ଯୋଜନା ରଚିଥିଲେ।

ସୀମାଞ୍ଚଳ ସମସ୍ତ ସୁନା ଧରି ମାନ୍ନାପୁରମ୍‌ ଗୋଲ୍ଡ ଲୋନ କାର୍ଯ୍ୟାଳୟକୁ ଯାଇ ବନ୍ଧକ ରଖିଥିଲେ। ତା’ ବଦଳରେ ୧୯ ଲକ୍ଷ ୭୦ ହଜାର ଋଣ ଉଠାଇ ନେଇଥିଲେ। ଆଉ ସେହି ଟଙ୍କାରେ ସେ ଅନଲାଇନ ଗେମ ଖେଳିଦେଇଥିଲେ। କିଛି ଦିନ ପରେ ଷ୍ଟୋରର ଷ୍ଟକ ଯାଞ୍ଚ ବେଳେ ଉପରୋକ୍ତ ପରିମାଣର ସୁନା ଅଳଙ୍କାର ନିଅଣ୍ଟ ହୋଇଥିଲା। ଆସିଷ୍ଟାଣ୍ଟ ମ୍ୟାନେଜର ସୀମାଞ୍ଚଳ ଗ୍ରାହକଙ୍କୁ ବିକିବାକୁ ନେଇଥିବା ସୁନା ସେହି ବାବଦ ଟଙ୍କା ପରବର୍ତ୍ତୀ ସୋ’ରୁମରେ ଦାଖଲ କରାଯାଇନଥିବା ଜଣାପଡ଼ିଥିଲା। ଏ ନେଇ ତାଙ୍କୁ ପଚରାଉଚରା ପରେ ସେ ସଠିକ ଉତ୍ତର ଦେଇନଥିଲେ। ଅଧିକ ପଚରାଉଚରା ପରେ ସେ ସୁନା ନେଇ ଋଣ ଉଠାଇଥିବା କହିଥିଲେ।

କମ୍ପାନୀର ନିୟମ ଉଳଙ୍ଘନ କରି ନିଜ ସ୍ବାର୍ଥ ସାଧନ ପାଇଁ ସୀମାଞ୍ଚଳ ଏଭଳି କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ସୁନା ଅଳଙ୍କାର ଫେରିପାଇବା ପାଇଁ ଜୁଏଲର୍ସ ସୋ’ରୁମ୍‌ ପକ୍ଷରୁ ବଡବଜାର ଥାନାରେ ଏତଲା ଦିଆଯାଇଛି।

 

 

Leave A Reply

Your email address will not be published.