ରାୟଗଡ଼ା: ରଖିଥିଲେ ବିଡା ବିଡା କଳା ଟଙ୍କା । ଘରେ ଯେତିକି ବାହାରେ ବି ସେତିକି । କଳା ବ୍ୟାଗରେ କଳା ଟଙ୍କାକୁ ଭର୍ତ୍ତି କରି ଅନ୍ଧାର ରାତିରେ ଯାଉଥିଲେ ବାବୁ । ତଥାପି ଧରାପଡିଗଲେ । ମାଡ଼ି ବସିଲା ଭିଜିଲାନ୍ସ । ବ୍ୟାଗରୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା । ଏମିିତି ଘଟଣା ସାମ୍ନାକୁ ଆସିଛି ରାୟଗଡାରୁ ।
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ର ସହକାରୀ ମୃତ୍ତିକ ସଂରକ୍ଷଣ ଅଧିକାରୀ । ନାଁ ତାଙ୍କର କିଶୋରଚନ୍ଦ୍ର ନାୟକ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ରାୟଗଡ଼ା ଭିଜିଲାନ୍ସ ଡିଏସ୍ପି ସୁରେନ୍ଦ୍ର ନାଥ ରାଜଗୁରୁଙ୍କ କହିବା ଅନୁଯାୟୀ, ତିନି ଦିନ ତଳେ ଭିଜିଲାନ୍ସ ପାଖକୁ ଖବର ଆସିଥିଲା, କୋଲନରା ବ୍ଳକ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋରଚନ୍ଦ୍ର ନାୟକ ହିତାଧିକାରୀମାନଙ୍କ ଠାରୁ ଟଙ୍କା ନେଉଛନ୍ତି। ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଏକ ଟିମ୍ ଗଠନ କରି ଗତକାଲି ରାତିରେ ସେ ତାଙ୍କ ଭଡ଼ା ଘରକୁ ଫେରୁଥିବା ବେଳେ ବାଟରେ ଅଟକାଇ ଥିଲେ ।
ଗତକାଲି ରାତି ପ୍ରାୟ ୯ଟାରେ ବାବୁ ଏକ ବୁଲେଟ ଗାଡ଼ିରେ ରାୟଗଡାସ୍ଥିତ ତାଙ୍କର ଭଡାଘରକୁ ଫେରୁଥିଲେ । ସାଙ୍ଗରେ ଥିଲା ଏକ କଳାବ୍ୟାଗ । ସ୍ଥାନୀୟ ଅରବିନ୍ଦ ସ୍କୁଲ୍ ନିକଟରେ ତାଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଟିମ୍। କଳାବ୍ୟାଗ ଯାଞ୍ଚ କରିବାରୁ ସେଥିରୁ ବାହାରିଲା ୫ ଲକ୍ଷ ୪ ହଜାର ୫୬୦ ଟଙ୍କା । ତେବେ ଏତେ ଟଙ୍କା ସେ କେଉଁଠୁ ଆଣିଲେ ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନ ଥିଲେ । ପରେ ଭିଜିଲାନ୍ସ ଟିମ ଶ୍ରୀ ନାୟକଙ୍କ ମଙ୍ଗଳା ମନ୍ଦିର ନିକଟ ଭଡ଼ା ଘରେ ଚଢ଼ାଉ କରିଥିଲା। ସେଠାରୁ ମଧ୍ୟ ନଗଦ ୬ ଲକ୍ଷ ୩୦ ହଜାର ଟଙ୍କା ମିଳିଥିଲା।
ସେହିପରି ଭିଜିଲାନ୍ସ ଟିମ ଭୁବନେଶ୍ୱରର ଖଣ୍ଡଗିରି ଥାନା ଅନ୍ତର୍ଗତ ପାତ୍ରପଡ଼ା କିଶୋର ବିହାର ସ୍ଥିତ ତାଙ୍କ ପତ୍ନୀଙ୍କ ବାସଭବନ, ଶ୍ରୀ ନାୟକଙ୍କର ନବରଙ୍ଗପୁରର ମନ୍ତ୍ରୀଗୁଡ଼ା ସ୍ଥିତି ପୈତୃକ ଘରେ ମଧ୍ୟ ଚଢ଼ାଉ କରିଛି। ସଂପୃକ୍ତ ଅଧିକାରୀଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ ।
Comments are closed.