ନୂଆଦିଲ୍ଲୀ: ଆଜି ୭୯ ତମ ସ୍ବାଧୀନତରା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ ରେକର୍ଡ ଭାଙ୍ଗିଛି । କ୍ରମାଗତ ୧୨ ଥର ସ୍ୱାଧୀନତା ଦିବସ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଛନ୍ତି ମୋଦି । ଏଥିସହିତ ଭାରତ ସ୍ୱାଧୀନତା ଦିବସ ୨୦୨୫ରେ ପିଏମ ନରେନ୍ଦ୍ର ମୋଦି ତାଙ୍କ ଭାଷଣର ସମସ୍ତ ରେକର୍ଡ ଭାଙ୍ଗି ଦେଇଛନ୍ତି। ସେ ଲାଲକିଲ୍ଲାର ପ୍ରାଚୀରରୁ ସବୁଠାରୁ ଲମ୍ବା ଭାଷଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ୧୦୩ ମିନିଟ୍ ପର୍ଯ୍ୟନ୍ତ ଦେଶକୁ ସମ୍ବୋଧିତ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ୨୦୨୪ ମସିହାରେ ସବୁଠାରୁ ଲମ୍ବା ଭାଷଣ ଦେଇଥିଲେ। ସେ ୯୮ ମିନିଟ୍ ଧରି ଭାଷଣ ଦେଇଥିଲେ। ସେ ୨୦୨୩ରେ ୯୦ ମିନିଟ୍ ପାଇଁ ଭାଷଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ୨୦୨୨ରେ ୮୨ ମିନିଟ୍ ଏବଂ ୨୦୨୧ରେ ୮୮ ମିନିଟ୍ ପାଇଁ ଭାଷଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସବୁଠାରୁ ଛୋଟ ଭାଷଣ ୫୬ ମିନିଟ୍ ଥିଲା, ଯାହା ୨୦୧୭ରେ ଦିଆଯାଇଥିଲା। ସେ ୨୦୧୪ରେ ପ୍ରଥମ ଥର ପାଇଁ ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ୬୬ ମିନିଟ୍ ପାଇଁ ଦେଶକୁ ସମ୍ବୋଧିତ କରିଥିଲେ ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଅନେକ ବଡ଼ ଘୋଷଣା କରିଛନ୍ତି । ସେ ସାମଗ୍ରୀ ଏବଂ ସେବା କରରେ ବଡ଼ ପରିବର୍ତ୍ତନ ସମ୍ପର୍କରେ ଇଙ୍ଗିତ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୀପାବଳିରେ ଏକ ସ୍ୱତନ୍ତ୍ର ଉପହାର ଦିଆଯିବ। ଏଥିସହିତ ଦେଶକୁ ଆତ୍ମନିର୍ଭର, ସ୍ବଦେଶୀ, ଏବଂ ଭୋକାଲ ଫର୍ ଲୋକାଲ ଉପରେ ବେଶି ଗୁରୁତ୍ବ ଦେବକୁ ଆହ୍ବାନ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ସାମଗ୍ରୀ ଏବଂ ସେବା କର (GST) ରେ ବ୍ୟାପକ ପରିବର୍ତ୍ତନ ସମ୍ପର୍କରେ ଇଙ୍ଗିତ କରିଥିଲେ ଏବଂ କହିଥିଲେ, ଏହି ଦୀପାବଳିରେ ମୁଁ ଆପଣଙ୍କ ପାଇଁ ଦୁଇଗୁଣ ଦୀପାବଳି ପାଳନ କରିବାକୁ ଯାଉଛି। ଦେଶବାସୀ ଏକ ବଡ଼ ଉପହାର ପାଇବାକୁ ଯାଉଛନ୍ତି, ସାଧାରଣ ଘରୋଇ ସାମଗ୍ରୀ ଉପରେ ଜିଏସଟିରେ ଏକ ବଡ଼ ହ୍ରାସ ହେବ। ଜିଏସଟି ହାର ସମୀକ୍ଷା କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାକୁ ସମୟର ଆବଶ୍ୟକତା ବୋଲି କହିଥିଲେ।
ସେ ଘୋଷଣା କରିଥିଲେ ଯେ ସରକାର ସାଧାରଣ ନାଗରିକଙ୍କ ଉପରେ ଟିକସ ବୋଝ ହ୍ରାସ କରିବା ଲକ୍ଷ୍ୟରେ ଏକ ନୂତନ ପିଢ଼ିର ଜିଏସଟି ସଂସ୍କାର ପ୍ରସ୍ତୁତ କରୁଛନ୍ତି। ସେ କହିଥିଲେ ଯେ ଜିଏସଟି ହାର ବହୁ ପରିମାଣରେ ହ୍ରାସ କରାଯିବ। ସାଧାରଣ ଲୋକଙ୍କ ପାଇଁ ଟିକସ ହ୍ରାସ କରାଯିବ।
ଏଥିସହିତ ମୋଦି ଯୁବକଙ୍କ ପାଇଁ ମଧ୍ୟ ବଡ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ଠାରୁ ଦେଶର ଯୁବପିଢ଼ିଙ୍କ ପାଇଁ ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ସହିତ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ଅଧୀନରେ, ଯେଉଁ ଯୁବକମାନେ ଘରୋଇ କ୍ଷେତ୍ରରେ ପ୍ରଥମ ଚାକିରି ପାଆନ୍ତି ସେମାନଙ୍କୁ ସରକାର ୧୫,୦୦୦ ପ୍ରଦାନ କରିବେ ।
ଏଥିସହିତ ଅପରେସନ ସନ୍ଦୂର ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଆମର ସାହସୀ ଏବଂ ନୀର୍ଭିକ ସୈନିକମାନେ ଶତ୍ରୁମାନଙ୍କୁ ସେମାନଙ୍କ କଳ୍ପନା ବାହାରେ ଦଣ୍ଡ ଦେଇଛନ୍ତି। ୨୨ ଏପ୍ରିଲରେ ସୀମା ପାରରୁ ପହଲଗାମରେ ଆତଙ୍କବାଦୀମାନେ ଯେଉଁ ପ୍ରକାରର ହତ୍ୟାକାଣ୍ଡ କରିଥିଲେ, ଲୋକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରାଯାଇଥିଲା, ଜଣେ ସ୍ୱାମୀଙ୍କୁ ତାଙ୍କ ସ୍ତ୍ରୀଙ୍କ ସମ୍ମୁଖରେ ଗୁଳି କରାଯାଇଥିଲା, ଜଣେ ପିତାଙ୍କୁ ତାଙ୍କ ପିଲାମାନଙ୍କ ସମ୍ମୁଖରେ ହତ୍ୟା କରାଯାଇଥିଲା। ‘ସାରା ଭାରତ କ୍ରୋଧରେ ପୂର୍ଣ୍ଣ ହୋଇଥିଲା, ଏହି ପ୍ରକାରର ହତ୍ୟାକାଣ୍ଡରେ ସମଗ୍ର ବିଶ୍ୱ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଅପରେସନ ସିନ୍ଦୂର ସେହି କ୍ରୋଧର ଏକ ପ୍ରକାଶ। ଶତ୍ରୁର ଭୂମି ଭିତରକୁ ଶହ ଶହ କିଲୋମିଟର ପ୍ରବେଶ କରି ଆତଙ୍କବାଦୀ ମୁଖ୍ୟାଳୟଗୁଡ଼ିକୁ ଧ୍ୱଂସ କରାଯାଇଥିଲା, ଆତଙ୍କବାଦୀ କୋଠାଗୁଡ଼ିକୁ ଧ୍ୱଂସାବଶେଷରେ ପରିଣତ କରାଯାଇଥିଲା।
ଏଥିସହିତ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନକୁ ଚେତାବନୀ ଦେଇଥିଲେ ଯେ ଭାରତ ପରମାଣୁ ଧମକରେ ଭୟଭୀତ ହେବନାହିଁ ।
Comments are closed.