ଶିଲଂ: ଗୁରୁବାର ଦିନ ମେଘାଳୟର ପୂର୍ବ ଜୈନ୍ତିଆ ହିଲ୍ସ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପୂର୍ବ ଜୈନ୍ତିଆ ହିଲ୍ସ ଜିଲ୍ଲାର ଏକ ଗାଁରେ ଏକ ସନ୍ଦିଗ୍ଧ ବେଆଇନ କୋଇଲା ଖଣି ବିସ୍ଫୋରଣରେ ଷୋହଳ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ପୋଲିସର ସୂଚନା ଅନୁଯାୟୀ, ଅନେକ ଶ୍ରମିକ ଏବେ ବି ଫସି ରହିଛନ୍ତି। ରିପୋର୍ଟ ଅନୁଯାୟୀ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣି ଭିତରେ ଥିବା ଶ୍ରମିକମାନେ ବାହରକୁ ଆସିବାର କୌଣସି ସୁଯୋଗ ପାଇଲେ ନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନା ପାଇବା ପରେ, ପୋଲିସ ପ୍ରଶାସନ ସମେତ SDRF ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ମେଘାଳୟ ଡିଜିପି ଆଇ ନୋଙ୍ଗରଙ୍ଗ କହିଛନ୍ତି ଯେ ଘଟଣାଟି ଥାଙ୍ଗସ୍କୁ ଅଞ୍ଚଳରେ ଘଟିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ସ୍ଥାନୀୟ ପୋଲିସ, ପ୍ରଶାସନ ଏବଂ ଏସଡିଆରଏଫ ଦଳ ଏଥିରେ ସାମିଲ ଅଛନ୍ତି।
ଡିଜିପି ଆଇ ନୋଙ୍ଗରାଙ୍ଗ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଆମେ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରିଛୁ, କିନ୍ତୁ ବିସ୍ଫୋରଣ ସମୟରେ ଖଣି ଭିତରେ କେତେ ଲୋକ ଉପସ୍ଥିତ ଥିଲେ ସେ ବିଷୟରେ କୌଣସି ସଠିକ୍ ସୂଚନା ନାହିଁ। ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ କହିଛନ୍ତି ଯେ ବିସ୍ଫୋରଣର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ପ୍ରାରମ୍ଭିକ ଭାବରେ,ଖଣିରେ ଗ୍ୟାସ ଲିକ୍ କିମ୍ବା ଯାନ୍ତ୍ରିକ ତ୍ରୁଟି ଦୁର୍ଘଟଣାର ସମ୍ଭାବ୍ୟ କାରଣ ରହିଛି । ତଦନ୍ତ ସମାପ୍ତ ହେବା ପରେ ହିଁ ପରିସ୍ଥିତି ସ୍ପଷ୍ଟ ହେବ।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଏହା ଏକ ରାଟ-ହୋଲ୍ କୋଇଲା ଖଣି ଥିଲା, ଯାହା ବେଆଇନ ଭାବରେ ପରିଚାଳିତ ହେଉଥିଲା। ଏନଜିଟି ୨୦୧୪ ମସିହାରେ ମେଘାଳୟରେ ରାଟ-ହୋଲ୍ କୋଇଲା ଖଣିକୁ ନିଷିଦ୍ଧ କରିଥିଲା। NGT ପରିବେଶଗତ କ୍ଷତି ଏବଂ ସୁରକ୍ଷା ବିପଦକୁ ଉଲ୍ଲେଖ କରିଛି। ରାଟ-ହୋଲ୍ କୋଇଲା ଖଣି ହେଉଛି ସଂକୀର୍ଣ୍ଣ ସୁଡ଼ଙ୍ଗ ଯାହା ସାଧାରଣତଃ ୩-୪ ଫୁଟ ଉଚ୍ଚତାରେ ଖୋଳାଯାଇଥାଏ, ଯାହା ଦ୍ୱାରା ଶ୍ରମିକମାନେ ଭିତରକୁ ପହଞ୍ଚି କୋଇଲା ବାହାର କରିପାରିବେ।