Latest Odisha News

BREAKING NEWS

ୱାଏନାଡରେ ଭୟଙ୍କର ଭୂସ୍ଖଳନ: ୧୯ ମୃତ, ମାଟି ତଳେ ଫସି ରହିଛନ୍ତି ଶତାଧିକ, ଉଦ୍ଧାର କାର୍ଯ୍ୟରେ ବାୟୁସେନା ନିୟୋଜିତ

ଥିରୁବନନ୍ତମପୁରମ: କେରଳ ୱାଏନାଡରେ ଭୟଙ୍କର ଭୂସ୍ଖଳନ। ଏହି ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଫସି ରହିଛନ୍ତି। ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ଖବର ଆସିଛି। ଉଦ୍ଧାର କାର୍ଯ୍ୟରେ KSDMA ଓ NDRF ନିୟୋଜିତ ଅଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟ ପାଇଁ ଗଲା MI 17 ଓ ALH ହେଲିକପ୍ଟର।

ସୂଚନା ଅନୁସାରେ ଆଜି (ମଙ୍ଗଳବାର) ସକାଳୁ ସକାଳୁ କେରଳ ରାଜ୍ୟର ୱାଏନାଡ ଜିଲ୍ଲାର ମେପ୍ପଡି ନିକଟସ୍ଥ ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହୋଇଛି । କିଛି ସମୟ ବ୍ୟବଧାନରେ ଏକାଧିକ ସ୍ଥାନରେ ଭୁସ୍ଖଳନ ଘଟିଛି । ଏଥିରେ ମାଟି ତଳେ ଅନେକ ଲୋକ ଫସିରହିଥିବା ଆଶଙ୍କା କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ମାଟି ଧସିଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ (KSDMA)ସୂଚନା ଅନୁଯାୟୀ, ଭୂସ୍ଖଳନ ନେଇ ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଭୂସ୍ଖଳନରେ ଆହତ ୫୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରବଳ ବର୍ଷା ସମୟରେ ଭୋର ପ୍ରାୟ ୧ଟାରେ ମୁଣ୍ଡାକ୍କାଇ ଟାଉନରେ ପ୍ରଥମ ଭୂସ୍ଖଳନ ଘଟିଥିଲା। ମୁଣ୍ଡାକ୍କାଇରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା ବେଳେ ସକାଳ ପ୍ରାୟ ୪ଟାରେ ଚୁରଲ ମାଲାର ଏକ ସ୍କୁଲ ନିକଟରେ ଦ୍ୱିତୀୟ ଭୂସ୍ଖଳନ ଘଟିଲା।

ଏକ ଶିବିର ଭାବରେ ଚାଲୁଥିବା ଏହି ବିଦ୍ୟାଳୟ ଏବଂ ଭୂସ୍ଖଳନ ହେତୁ ନିକଟସ୍ଥ ଘର ଓ ଦୋକାନରେ ପାଣି ଓ କାଦୁଅ ଭରି ରହିଥିଲା। ବର୍ତ୍ତମାନ ସମସ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। କେରଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) କହିଛି ଯେ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟରେ ବାୟୁସେନା ନିୟୋଜିତ କରାଯାଇଛି। ସିଏମଓ କହିଛନ୍ତି, “ପ୍ରବଳ ବର୍ଷା ପରେ ୱାଏନାଡରେ ଭୂସ୍ଖଳନ ଘଟିଛି। ସ୍ୱାସ୍ଥ୍ୟ ବିଭାଗ- ଜାତୀୟ ସ୍ୱାସ୍ଥ୍ୟ ମିଶନ ନିୟନ୍ତ୍ରଣ କକ୍ଷ ଖୋଲିଛି ଏବଂ ଜରୁରୀକାଳୀନ ସହାୟତା ପାଇଁ ହେଲପଲାଇନ ନମ୍ବର ଜାରି କରାଯାଇଛି।

Comments are closed.