ଢାକା: ବାଂଲାଦେଶରେ ଜାରି ରହିଥିବା ହିଂସା ଥମିବାର ନାଁ ନେଉ ନାହିଁ। ଗତ କିଛି ଦିନ ହେବ ଏଠାରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ଗଠିତ ହୋଇଛି ଅନ୍ତରୀଣ ସରକାର। ଯାହାର ନେତୃତ୍ୱ ନେଇଛନ୍ତି ନୋବେଲ୍ ବିଜେତା ମହମ୍ମଦ ୟୁନୁସ।
ଏହି ମଧ୍ଯରେ ଏକ ହୋଟେଲରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ।
ଇଣ୍ଡୋନେସିଆର ଜଣେ ନାଗରିକଙ୍କ ସମେତ ଅତି କମରେ ୨୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବାଂଲାଦେଶରେ ହିଂସା ପରଠାରୁ ଲୋକମାନେ ଆୱାମୀ ଲିଗ୍ ପାର୍ଟି ନେତାଙ୍କ ହୋଟେଲରେ ରହିଥିଲେ।
ଉଲ୍ଲେଖଯୋଗ୍ୟ, ବାଂଲାଦେଶରେ ଚାଲିଥିବା ହିଂସା ପରେ ନିଜ ଦେଶ ଛାଡି ଭାରତର ଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡି ପାରନ୍ତି। ଏହାରି ଭିତରେ ଚର୍ଚ୍ଚା ହେଉଛି ୟୁରୋପର କୌଣସି ଦେଶକୁ ସେ ଯାଇପାରନ୍ତି। ବର୍ତ୍ତମାନ ସେ ଉତ୍ତରପ୍ରଦେଶର ଗାଜିଆବାଦରେ ଅବସ୍ଥିତ ହିଣ୍ଡନ ବିମାନବନ୍ଦରରେ ଏକ ସୁରକ୍ଷିତ ଘରେ ରହିଛନ୍ତି।
ଶେଖ୍ ହସିନା ଦେଶ ଛାଡିବା ପରେ ମଧ୍ୟ ବାଂଲାଦେଶର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳୁଛି । ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ମଧ୍ୟ ଏବେ ଆକ୍ରମଣ ହେଉଛି।
ରାଜନୈତିକ ଦଳ ଆୱାମୀ ଲିଗର ୨୯ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଢାକା ଟ୍ରିବ୍ୟୁନ୍ ଅନୁସାରେ ଏହି ଦଳର ଅନେକ ନେତାଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ମଧ୍ଯ ଭଙ୍ଗାରୁଜା କରାଯାଇଛି।

Comments are closed.