ନୂଆଦିଲ୍ଲୀ: ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପରେ ଥରିଛି ନେପାଳ-ତିବ୍ଦତ ସୀମା । ଲଗାତର ୬ଟି ଭୂମିକମ୍ପରେ ଥରିଛି ନେପାଳ ସୀମା । ଭୟଙ୍କର ଭୂକମ୍ପରେ ଏଯାବତ୍ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶା କରାଯାଉଛି। ତିବ୍ଦତରେ ସକାଳେ ଘଟିଥିବା ତିନୋଟି ଶକ୍ତିଶାଳୀ ଭୂକମ୍ପ ଚୀନ୍ ଏବଂ ନେପାଳ ସମେତ ଭାରତ, ବାଂଲାଦେଶ ଏବଂ ଅନ୍ୟାନ୍ୟ ଦେଶକୁ ମଧ୍ୟ ଥରାଇ ଦେଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଆଜି ସକାଳ ୬.୩୫ରେ ଭୂକମ୍ପର ପ୍ରଥମ କମ୍ପନ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ଥିବା ନେଇ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ନେପାଳ ସୀମାନ୍ତ ତିବ୍ଦତ ଅଞ୍ଚଳର ଶିଜାଙ୍ଗ ଅଞ୍ଚଳ ଭୂମିଠାରୁ ୧୦ କିଲୋମିଟର ଥିବା ନେଇ ସୂଚନା ମିଳିଛି ।
ତିବ୍ଦତ ସହିତ ନେପାଳ, ଚୀନ୍ ଏବଂ ବାଂଲାଦେଶ ସମେତ ଅନେକ ଦେଶ ସହ ଭାରତର ଦିଲ୍ଲୀ-ଏନସିଆର, ବିହାର ଏବଂ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଏହି ଭୂକମ୍ପର କମ୍ପନ ଅନୁଭୁତ ହୋଇଛି । ୬.୩୫ରେ ପ୍ରଥମ କମ୍ପନ ଅନୁଭୁତ ହୋଇଥିଲା । ଏହାପରେ ସକାଳ ୭ଟାରେ ୪.୭ ତୀବ୍ରତା ର ଭୂକମ୍ପ ଅନୁଭୁତ ହୋଇଥିଲା । ତା’ପରେ ପୁଣି ୭.୭ ରେ ୪.୯ ତୀବ୍ରତା ବିଶିଷ୍ଟ ପୁଣି ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ଏପରି ଛୋଟ ବଡ ୬ଥର କମ୍ପନ ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି ।
ଭୂକମ୍ପ ପରେ ଲୋକମାନେ ଭୟ ହେତୁ ଘରୁ ବାହାରକୁ ଆସିଥିଲେ। ସକାଳେ ଘଟିଥିବା ଏହି ଭୂକମ୍ପ ଲୋକଙ୍କୁ ଚିନ୍ତାରେ ପକାଇଥିଲା । କାରଣ ଦୀର୍ଘ ଦିନର ଅନ୍ତର ପରେ କାଠମାଣ୍ଡୁରେ ଏଭଳି ଶକ୍ତିଶାଳୀ କମ୍ପନ ଅନୁଭୂତ ହୋଇଥିଲା। ତିବ୍ଦତର ଶିଗାତ୍ସେ ସହରରେ ଭୂକମ୍ପ କାରଣରୁ ବ୍ୟାପକ ଧନଜୀବନ ହାନି ହୋଇଛି । ତିବ୍ଦତର ଡିଙ୍ଗରି କାଉଣ୍ଟିରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି। ସେହିପରି ଅନେକ ଘର ଦ୍ୱାର ଭୁଶୁଡି ପଡିଛି। ଭୂକମ୍ପରେ ଅନେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ରହିଥିବା ଅନୁମାନ କରଯାଉଛି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି ।