Latest Odisha News

ବିଶ୍ଵ ଦେଖିଲା ଓଡିଆ କାରୀଗରି, ବିଶ୍ଵକୁ ବାର୍ତ୍ତା ଦେଲା କୋଣାର୍କ ଚକ୍ର

ନୂଆଦିଲ୍ଲୀ: ବିଶ୍ଵ ଦେଖିଲା ଓଡିଆ କାରୀଗରି । ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍‌’ରେ ଝଲସୁଛି ରାଜ୍ୟର ପ୍ରାଚୀନ ଐତିହ୍ୟ । ଜି-୨୦ ସମ୍ମିଳନୀ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରସିଦ୍ଧ ଚକ୍ରର ପ୍ରତିକୃତି ସମ୍ମୁଖରେ ବିଶ୍ଵନେତାଙ୍କୁ କରିଥିଲେ ସ୍ଵାଗତ । ଏହି ଚକ୍ର ଜି-୨୦ ସମ୍ମିଳନୀର ଅନ୍ୟତମ ଆକର୍ଷଣ ସାଜିଥିଲା ।

ଗତକାଲି ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଭାରତ ମଣ୍ଡପମ୍‌’ରେ ବିଶ୍ଵର ବିଶିଷ୍ଟ ନେତାମାନଙ୍କ ଆଗମନ ଆରମ୍ଭ ହୋଇଥିଲା । ସେଠାକୁ ଆସୁଥିବା ଅତିଥିମାନଙ୍କୁ କୋଣାର୍କ ଚକ୍ର ପ୍ରତିକୃତି ସମ୍ମୁଖରେ ଠିଆ ହୋଇ ପ୍ରଧାନମନ୍ତ୍ରୀ ମୋଦୀ ସ୍ଵାଗତ କରିବା ସହ ସେମାନଙ୍କ ସହ କରମର୍ଦ୍ଦନ କରି ଫଟୋ ଉଠାଇଥିଲେ ମୋଦୀ । ଏହି ସ୍ଵାଗତ ଅବସରରେ ପ୍ରଧାନମନ୍ତ୍ରୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଅନ୍ୟ କିଛି ରାଷ୍ଟ୍ରମୁଖ୍ୟଙ୍କୁ କୋଣାର୍କ ଚକ୍ରର ବୈଶିଷ୍ଟ୍ୟ ସମ୍ପର୍କରେ ଅବଗତ କରିଥିଲେ। ଅତିଥିମାନେ ମଧ୍ୟ ଚକ୍ରର କଳାକୃତିକୁ ଦେଖି ବିସ୍ମିତ ହୋଇଥିଲେ ।

ଜି-୨୦ ଭଳି ମେଗା ସମ୍ମିଳନୀରେ କୋଣାର୍କ ଚକ୍ରକୁ ସାମିଲ କରାଯିବାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁବ ପ୍ରଶଂସା କରିଛନ୍ତି । ଏହା ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି ସେ ଏକ୍ସ କରି କହିଛନ୍ତି । ଭାରତୀୟ ସଭ୍ୟତା, ସାଂସ୍କୃତି ଓ ଭାସ୍କର୍ଯ୍ୟର ଉତ୍କର୍ଷତାର ପ୍ରତୀକ ହେଉଛି କୋଣାର୍କ ଚକ୍ର । ଏହା ନିରବଚ୍ଛିନ୍ନତା ଓ ପ୍ରଗତିର ପ୍ରତିଫଳକ । ‘ଜି୨୦’ ସମ୍ମିଳନୀ ସ୍ଵାଗତ ସ୍ଥଳରେ ଚିର ବିସ୍ମୟ କୋଣାର୍କ ଚକ୍ର ରହିବା ସମଗ୍ର ଭାରତ ଏବଂ ଖାସ କରି ଓଡ଼ିଶାର ଜନସାଧାରଣଙ୍କ ପାଇଁ ଅତି ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଜି-୨୦ ସମ୍ମିଳନୀରେ ହୋଇଥିବା କ୍ରାଫ୍ଟସ୍ ବଜାରରେ ମଧ୍ୟ କୋଣାର୍କ ଚକ୍ରକୁ ଦେଖିବାକୁ ମିଳିଛି । ଏହାସହ ରାଜ୍ୟର ବିଭିନ୍ନ ପଟ୍ଟଚିତ୍ର କଳା, କାଠ ନିର୍ମିତ କଳାକୃତି ଏବଂ ଅନ୍ୟନ୍ୟ ହସ୍ତଶିଳ୍ପ ମଧ୍ୟ ଏଠାରେ ଦେଖିବାକୁ ମିଳୁଛି।

Comments are closed.