Latest Odisha News

BREAKING NEWS

ବିଶ୍ବ ମଞ୍ଚରେ ଚୀନକୁ ଭାରତର ଟାର୍ଗେଟ, ଯୁଦ୍ଧ ଶେଷ କରିବାକୁ କଲା ଆହ୍ୱାନ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ୟୁକ୍ରେନ ସଙ୍କଟକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଚର ଏସ ଜୟଶଙ୍କର ଉଦବେଗ ପ୍ରକାଶ କରିଛନ୍ତି। ଋଷ-ୟୁକ୍ରେନ ଯୁଦ୍ଧକୁ ତୁରନ୍ତ ଶେଷ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଜୟଶଙ୍କର କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ସମଗ୍ର ଅନ୍ତର୍ଜାତୀୟ ସମୁଦାୟ ପାଇଁ ଚିନ୍ତାର ବିଷୟ। ସେ କହିଛନ୍ତି ଯେ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଏହି ଯୁଦ୍ଧକୁ ବନ୍ଦ କରିବାକୁ ଭାରତ ସର୍ବଦା ନିବେଦନ କରିଛି।

ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୬ ମାସରୁ ଅଧିକ ସମୟ ଧରି ଚାଲିଆସୁଛି। ଜୟଶଙ୍କର କହିଛନ୍ତି ଯେ ଏହି ଯୁଦ୍ଧର ପ୍ରଭାବ ସାରା ବିଶ୍ୱରେ ପ୍ରଭାବ ପକାଇପାରେ। ବିଶ୍ବ ଯେଉଁ ପରିସ୍ଥିତି ଦେଇ ଗତି କରୁଛି ଏହାକୁ ନଜରରେ ରଖି ଏହି ଯୁଦ୍ଧକୁ ଯଥାଶୀଘ୍ର ସମାପ୍ତ କରାଯିବା ଉଚିତ୍।

ଉଦବୋଧନ ବେଳେ ଏସ ଜୟଶଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା ଯୁଦ୍ଧର ସମୟ ନୁହେଁ। ଉଲ୍ଲେଖନୀୟ ଯେ, ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଶାନ୍ତି ପାଇଁ ନିବେଦନ କରିଥିଲେ। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା ଯୁଦ୍ଧର ଯୁଗ ନୁହେଁ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ଯୁଦ୍ଧ ହେଲେ ମାନବ ଅଧିକାର ତଥା ଆନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କୌଣସି ସ୍ଥାନରୁ ଯଥାର୍ଥ ହୋଇପାରିବ ନାହିଁ। ସୁରକ୍ଷା ପରିଷଦ ଏ ବାବଦରେ ଏକ ସ୍ପଷ୍ଟ ବାର୍ତ୍ତା ପଠାଇବା ଉଚିତ୍। ଏହି ସମୟରେ ଏସ ଜୟଶଙ୍କର ମଚୀନ୍‌କୁ ଟାର୍ଗେଟ କରିଥିଲେ।

ସେ କହିଛନ୍ତି ଯେ ଯେତେବେଳେ ଦୁନିଆର ସବୁଠାରୁ ବିପଜ୍ଜନକ ଆତଙ୍କବାଦୀଙ୍କୁ ନିଷିଦ୍ଧ କରିବା ପ୍ରସଙ୍ଗ ଉପୁଜେ, ସେତେବେଳେ ସେମାନଙ୍କୁ ଦଣ୍ଡରୁ ରକ୍ଷା କରିବା ପାଇଁ ଉଦ୍ୟମ କରାଯାଏ ଏବଂ ଉତ୍ତରଦାୟିତ୍ୱକୁ ଏଡ଼ାଇବା ପାଇଁ ରାଜନୀତି କରାଯାଏ। ଜୟଶଙ୍କର କହିଛନ୍ତି ଯେ ଉତ୍ତରଦାୟିତ୍ୱକୁ ଏଡ଼ାଇବା ପାଇଁ କେହି କେବେ ରାଜନୀତି କରିବା ଉଚିତ୍ ନୁହେଁ। ଦୋଷୀମାନଙ୍କୁ ଦଣ୍ଡରୁ ରକ୍ଷା କରିବା ପାଇଁ ନୁହେଁ। ଏପରି କହି ଭାରତ ଚୀନକୁ ଟାର୍ଗେଟ କରିଛି।

ଉଲ୍ଲେଖଯୋଗ୍ୟ, ମିଳିତ ଜାତିସଂଘରେ ପାକିସ୍ତାନର ଲଶ୍କର-ଇ-ତୌଇବା ଆତଙ୍କବାଦୀ ସାଜିଦ ମୀରଙ୍କୁ କଳା ତାଲିକାଭୁକ୍ତ କରିବା ପାଇଁ ଚୀନ୍ ଆମେରିକା ଏବଂ ଭାରତର ପ୍ରସ୍ତାବକୁ ଅବରୋଧ କରିଛି। ଚାରି ମାସ ମଧ୍ୟରେ ବେଜିଂର ଏହା ହେଉଛି ତୃତୀୟ ପଦକ୍ଷେପ। ମିର ହେଉଛି ଭାରତର ଜଣେ ଆତଙ୍କବାଦୀ ତଥା ୨୦୦୮ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ଅଲ କାଏଦା ପ୍ରତିବନ୍ଧକ କମିଟି ଅଧୀନରେ ମିରଙ୍କୁ ବିଶ୍ୱ ଆତଙ୍କବାଦୀ ଭାବରେ ତାଲିକାଭୁକ୍ତ କରିବାକୁ ଗୁରୁବାର ଦିନ ବେଜିଂ ଆମେରିକାର ପ୍ରସ୍ତାବକୁ ଅବରୋଧ କରିଛି। ଏହି ପ୍ରସ୍ତାବକୁ ଭାରତ ସମର୍ଥନ କରିଛି।

Leave A Reply

Your email address will not be published.