Latest Odisha News

BREAKING NEWS

ଚିର ଅମର ଅଟଳ : ୯୯ତମ ଜନ୍ମ ଜୟନ୍ତୀରେ ଝୁରୁଛନ୍ତି ଦେଶବାସୀ

ନୂଆଦିଲ୍ଲୀ : ଆଜି ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ । ସେ ଥିଲେ ଜଣେ ଜନନାୟକ , ଦୃଢ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ । ଦେଶପ୍ରତି ତାଙ୍କ ଅବଦାନକୁ ମନେ ପକାଉଛନ୍ତି ଦେଶବାସୀ । ଆଜି ସମାଧି ସ୍ଥଳ ‘ସଦୈବ ଅଟଳ’ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀ ଓ ନେତାବୃନ୍ଦ । ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଦିନ ଏକ ସାଧାରଣ ସ୍କୁଲ ଶିକ୍ଷକଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ବାଜପେୟୀ । ତାଙ୍କର ଜନ୍ମସ୍ଥାନ ହେଉଛି ଗ୍ଵାଲିଅର ।

ରାଜନୀତି କ୍ଷେତ୍ରରେ ତାଙ୍କର ପ୍ରଗତି – ତାଙ୍କ ରାଜନୈତିକ ପାରଦର୍ଶିତା ଓ ଭାରତୀୟ ଗଣତନ୍ତ୍ର ପ୍ରତି ଶ୍ରଦ୍ଧାଞ୍ଜଳି କହିଲେ ଅତ୍ୟୁକ୍ତି ହେବନାହିଁ । ଦଶନ୍ଧି ଦଶନ୍ଧି ଧରି ବିଶ୍ୱ ରାଜନୀତି ପ୍ରସଙ୍ଗରେ ଜଣେ ଉଦାରପନ୍ଥୀ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତା ତାଙ୍କୁ ସର୍ବସାଧାରଣରେ ଜଣେ ସମ୍ମାନସ୍ପଦ ନେତା ଭାବେ ସୁପ୍ରତିଷ୍ଠିତ କରିପାରିଛି । ୧୯୯୯ ମସିହା ଅକ୍ଟୋବର ୧୩ ତାରିଖ ଦିନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ନାମକ ଏକ ନୂତନ ମିଳିତ ସରକାରର ମୁଖ୍ୟ ଭାବେ ସେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ।

ଏହା ପୂର୍ବରୁ ୧୯୯୬ ମସିହାରେ ସେ ଅଳ୍ପଦିନ ପାଇଁ ପ୍ରଧାନମନ୍ତ୍ରୀ ପଦ ମଣ୍ଡନ କରିଥିଲେ । ପଣ୍ଡିତ ଜବାହାରଲାଲ ନେହରୁଙ୍କ ପରେ ଶ୍ରୀ ବାଜପେୟୀ କ୍ରମାଗତ ଭାବେ ଦୁଇ ଥର ଜନସମର୍ଥନ ପାଇ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ । ସେ ଲୋକସଭାକୁ ନଅ ଥର ନିର୍ବାଚିତ ହୋଇଥିବାବେଳେ, ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ, ଯାହାକି ଏକ ରେକର୍ଡ । ଶ୍ରୀ ବାଜପେୟୀ ପ୍ରଥମେ ଜଣେ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ସୁଦ୍ଧା ୧୯୫୧ ମସିହାରେ ଭାରତୀୟ ଜନସଂଘରେ ଯୋଗଦେବା ପରେ ତାଙ୍କ ସାମ୍ବାଦିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡିଥିଲା ।

ଭାରତ ପ୍ରତି ତାଙ୍କର ନିଃସ୍ୱାର୍ଥପର ନିଷ୍ଠା ଓ ଶ୍ରଦ୍ଧା ଏବଂ ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଧରି ସମାଜ ଓ ରାଷ୍ଟ୍ରପ୍ରତି ତାଙ୍କର ସେବାକୁ ସ୍ୱୀକୃତି ପ୍ରଦାନ ପୂର୍ବକ ଶ୍ରୀ ବାଜପେୟୀଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା । ଆଜି ତାଙ୍କର ୯୯ତମ ଜନ୍ମ ଜୟନ୍ତୀ ଅବସରରେ ଓଡିଶା ସମ୍ବାଦ ପରିବାର ପକ୍ଷରୁ ବିନମ୍ର ଶ୍ରଦ୍ଧାଞ୍ଜଳୀ  ।

 

Leave A Reply

Your email address will not be published.