Latest Odisha News

ଅଲିମ୍ପିକ୍ସରେ ଓଡିଶା ଆଥଲେଟ, ଦିଲୀପଙ୍କଠାରୁ କିଶୋର ପର୍ଯ୍ୟନ୍ତ

ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନସ୍ତର ସୁଧୁରିବା ଆରମ୍ଭ ହୋଇଛି । ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏହି ଧାରା ବଜାୟ ରଖିବ ବୋଲି ଆଶା କରାଯାଉଛି । ଭାରତ ପକ୍ଷରୁ ଓଡିଶାର ଅନେକ ଖେଳାଳି ଅଲିମ୍ପିକ୍ସ ଖେଳିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ୨୮ ବର୍ଷ ମଧ୍ୟରେ ୧୫ଜଣ ଖେଳାଳି ଅଲିମ୍ପିକ୍ସରେ ଖେଳିଛନ୍ତି । ଅଲିମ୍ପିକ୍ସ ଆରମ୍ଭ ହେବାର ୧୦୦ ବର୍ଷ ପରେ ୧୯୯୬ରେ ପଦ୍ମଶ୍ରୀ ଦିଲୀପ ତିର୍କୀ ପ୍ରଥମ ଓଡିଆ ଭାବେ ଅଲିମ୍ପିକ୍ସରେ ଖେଳିଥିଲେ ।

ସେ ଓଡିଆ ଖେଳାଳିଙ୍କ ମନରେ ଅଲିମ୍ପିକ୍ସ ଖେଳିବା ସ୍ୱପ୍ନ ବୁଣିଥିଲେ । ଯାହା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେ ଭାରତୀୟ ହକି ଟିମରେ ୧୯୯୬, ୨୦୦୦ ଓ ୨୦୦୪ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଛନ୍ତି । ତାଙ୍କ ପରେ ଏ ପର୍ଯ୍ୟନ୍ତ ୮ ମହିଳା ଓ ୬ ପୁରୁଷ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି । ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହୀଦାସ ପଦକ ଜିତିଛନ୍ତି । ମହିଳାଙ୍କ ମଧ୍ୟରେ ହକି ଖେଳାଳି ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ ଓ ଦୌଡାରାଣୀ ଦୂତିଚାନ୍ଦ (୨୦୧୬, ୨୦୨୦) ସର୍ବାଧିକ ଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି ।

୨୦୦୦ ଅଲିମ୍ପିକ୍ସରେ ଦିଲୀପଙ୍କ ସହ ଲାଜରୁସ ବାର୍ଲା ଭାରତୀୟ ହକି ଦଳରେ ସ୍ଥାନ ପାଇଥିଲେ । ସେହି ବର୍ଷ ରଚିତା ପଣ୍ଡା ମିସ୍ତ୍ରୀ ଓ ଅନୁରାଧା ବିଶ୍ୱାଳ ଆଥଲେଟିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ୨୦୦୪ରେ ୱିଲିୟମ ଖାଲକୋ ଓ ଇଗ୍ନେସ ତିର୍କୀ ଭାରତୀୟ ହକି ଦଳରେ ଓଡିଶାର ମନ ବଢ଼ାଇଥିଲେ ।

ଦୁଃଖର କଥା ୨୦୦୮ରେ ଜଣେ ବି ଓଡିଆ ଭାରତ ପକ୍ଷରୁ ଖେଳିବା ସୁଯୋଗ ପାଇ ନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରାବଣୀ ନନ୍ଦ(୨୦୧୬), ସୁନୀତା ଲାକ୍ରା(୨୦୨୦), ଲିଲିମା ମିଞ୍ଜ(୨୦୧୬), ଅମିତ ରୋହୀଦାସ (୨୦୨୦) ଆଉ ଏବେ ଜାଭେଲିନ ଥ୍ରୋରେ କିଶୋର ଜେନା ଏହି ସୌଭାଗ୍ୟ ପାଇଛନ୍ତି । ପ୍ୟାରିସ ଗେମ୍ସରେ କିଶୋର ପଦକ ଜିତି ଓଡିଶାର ମାନ ବଢ଼ାଇବାକୁ ନିଶ୍ଚିତ ଭାବେ ଚାହିଁବେ ।

Comments are closed.