Latest Odisha News

BREAKING NEWS

ଆସିଲା ଅତିକର ପୋଷ୍ଟମର୍ଟମ ରିପୋର୍ଟ, ଦେହରେ ବାଜିଥିଲା ୮ଟି ଗୁଳି

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ତାର ଭାଇ ଅଶରଫକୁ ଶନିବାର ବିଳମ୍ବିତ ରାତିରେ ପୋଲିସ କବଜାରେ ଗୁଳି କରି ହତ୍ୟା କରାଯାଇଥିଲା । ୩ ଜଣ ଯୁବକ ସାମ୍ବାଦିକ ଭାବେ ପୋଲିସର ନିକଟତର ହୋଇ ଆଖିବୁଜା ଗୁଳିମାଡ଼ କରିଥିଲେ । ପ୍ରାୟ ୧୮ ରାଉଣ୍ଡ ଫାୟାରିଂ ହୋଇଥିବା ବେଳେ ୮ଟି ଗୁଳି ଅତିକ ଅହମଦ ଦେହରେ ବାଜିଥିବା ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡ଼ିଛି ।

ରବିବାର ଅପରାହ୍ଣରେ ଅତିକ ଓ ଅଶରଫର ପୋଷ୍ଟମର୍ଟମ ହୋଇଥିଲା । ଶବ ବ୍ୟବଛେଦ ରିପୋର୍ଟ ଅନୁସାରେ ଅତିକ ଦେହରେ ୮ଟି ଓ ଅଶରଫ ଶରୀରରେ ୫ଟି ଗୁଳି ବାଜିଛି । ପୋଷ୍ଟମର୍ଟମ ପରେ ଉଭୟଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅତିକର ମୁଣ୍ଡ, ବେକ, ଛାତି ଓ ପିଠିରେ ଗୁଳି ବାଜିଥିଲା ।

ସେପଟେ ଅତିକକୁ ହତ୍ୟା କରିଥିବା ୩ ଜଣଙ୍କ ପରିଚୟ ମିଳିଛି । ଲବଲେଶ ତିୱାରୀର ଘର ବାନ୍ଦାରେ ହୋଇଥିବା ବେଳେ କାସଗଞ୍ଜରେ ଅରୁଣ ମୌର୍ଯ୍ୟ ଓ ହମିରପୁର ଜନପଦରେ ତୃତୀୟ ଅଭିଯୁକ୍ତର ଘର । ଅତିକ ଓ ଅଶରଫକୁ ହତ୍ୟା ପରେ ୩ ଅଭିଯୁକ୍ତ ସଙ୍ଗେ ସଙ୍ଗେ ସରେଣ୍ଡର କରିଥିଲେ । ଘଟଣାସ୍ଥଳରୁ ୩ ଜଣଙ୍କୁ ପୋଲିସ ଗିରଫ କରିବା ସହ ୩ଟି ଯାକ ବନ୍ଧୁକ ଜବତ କରିଥିଲା ।

ଅଭିଯୁକ୍ତଙ୍କ ଠାରୁ ଗୋଟିଏ ମାଇକ୍, ଗୋଟିଏ କ୍ୟାମେରା ମିଳିଥିଲା । ହତ୍ୟାକାଣ୍ଡ ପରେ ପୂରା ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ପୋଲିସର ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି ।

Leave A Reply

Your email address will not be published.