Latest Odisha News

ଚର୍ଚ୍ଚାରେ ବିରାମ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବେ ଆତିଶି

ନୂଆଦିଲ୍ଲୀ: ଦିଲ୍ଲୀ ଶାସନ ଭାର ସମ୍ଭାଳିବେ ଆତିଶି । ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରେ ପରବର୍ତ୍ତୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମାରଲେନା ସିଂହ । ଏନେଇ ଆତିଶିଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିଓ୍ବାଲ । ଏହାପରେ ଆପ ଦଳ ବୈଠକରେ ଆତିଶିଙ୍କ ନାଁରେ ମୋହର ବାଜିବା ପରେ ସର୍ବସମ୍ମତିରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି । ତେବେ କେଜ୍ରିଓ୍ବାଲଙ୍କ ଇସ୍ତଫା ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଗାଦି ପାଇଁ ଆତିଶିଙ୍କ ନାଁ ଚର୍ଚ୍ଚାରେ ଥିଲା । ଆଉ ଆଜି ତାଙ୍କ ନାଁରେ ମୋହର ମାରିଛନ୍ତି କେଜ୍ରିଓ୍ବାଲ ।

ସେପଟେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ପତ୍ର ଦେବେ କେଜ୍ରିଓ୍ବାଲ । ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସହ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ପଦରୁ କେଜ୍ରିଓ୍ବାଲ ଅପରାହ୍ନ ୪.୩୦ରେ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି । ଏହାରି ଭିତରେ ଅରବିନ୍ଦ କେଜ୍ରିୱାଲଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଯେଉଁ ତର୍ଜମା ଚାଲିଥିଲା ତାହା ଉପରେ ବିରାମ ଲଗାଇଛନ୍ତି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । ତେବେ ଆପର ଜଣେ ଟାଣୁଆ ନେତ୍ରୀ ହେଉଛନ୍ତି ଆତିଶି । ବର୍ତ୍ତମାନ ଦିଲ୍ଲୀ ସରକାରରେ ସେ ଶିକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦାୟିତ୍ବରେ ଅଛନ୍ତି ଆତିଶି । ଏଥିସହିତ ସେ ୨୦୧୫ରୁ ୧୮ ପର୍ଯ୍ୟନ୍ତ ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପରାମର୍ଶଦାତା ମଧ୍ୟ ରହିଛନ୍ତି ।

ତେବେ କହିରଖୁଛୁ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତ ୬ ମାସ ହେବ ଜେଲରେ ଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଗତ ୧୩ ତାରିଖରେ ସେ ସର୍ତ୍ତମୂଳକ ଜାମିନରେ ବାହାରକୁ ଆସିଛନ୍ତି । ଜେଲରୁ ବାହାରିବା ୨୪ ଘଣ୍ଟା ପରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ତେବେ ଆଜି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

Comments are closed.