Latest Odisha News

ପୁଣି ଜାମ୍ମୁରେ ଆତଙ୍କୀ ହାମଲା, ଜଣେ ଆତଙ୍କୀ ନିହତ

ଶ୍ରୀନଗର: ପୁଣିଥରେ ଜାମ୍ମୁ କାଶ୍ମୀରରେ ଆତଙ୍କୀ ହାମଲା । ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ସେନାର ଅସ୍ଥାୟୀ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଆତଙ୍କବାଦୀଙ୍କ ଗୁଳିଚାଳନା ପରେ ସୁରକ୍ଷାକର୍ମୀଙ୍କର ମଧ୍ୟ ଜୋରଦାର ଗୁଳିଚାଳନା ଆରମ୍ଭ ହୋଇଥିଲା । ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଏନେଇ ସୂଚନା ଦେଇଛି ଜାମ୍ମୁ କାଶ୍ମୀର ପୋଲିସ ।

ଜାମ୍ମୁ ଏଡିଜିପି ଆନନ୍ଦ ଜୈନଙ୍କ କହିବା ଅନୁସାରେ, ଉଭୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିବା ବେଳେ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି । ତେବେ ଉକ୍ତ ଅଞ୍ଚଳ ବର୍ତ୍ତମାନ ବିପଦ ମୁକ୍ତ ହୋଇଛି ବୋଲି କହିଛନ୍ତି ଏଡିଜିପି । ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ଏବଂ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଅଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ତିନି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀରର ରିଆସି ଏବଂ କଠୁଆରେ କ୍ରମାଗତ ଭାବେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ରବିବାର ଦିନ ଜାମ୍ମୁ-କାଶ୍ମୀର ରିଆସି ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କବାଦୀଙ୍କ ଗୁଳିମାଡ ହୋଇଥିଲା । ଗୁଳିମାଡରେ ବସଟି ଦୁର୍ଘଟଣାର ଶିକାର ହୋଇ ଏକ ଖାଇରେ ଖସିପଡିଥିବା ବେଳେ ଏଥିରେ ୧୦ ଜଣଙ୍କର ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇଥିଲେ । ପ୍ରଥମେ ବସଟି ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରୁ ଏକାଧିକ ରାଉଣ୍ଡର ଗୁଳି ଓ ଖୋକା ଜବତ ହେବା ପରେ ଏହା ଏକ ବଡଧରଣର ଆତଙ୍କୀ ହମଲା ବୋଲି ସ୍ପଷ୍ଟ ହୋଇଥିଲା । ଯାହାକୁ ନେଇ ପୁରା ଦେଶ ସ୍ତବ୍ଧ ହୋଇଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ବହୁ ନେତା ରାଜନେତା ଦୁଃଖ ପ୍ରକାଶ କରିଥିଲେ ।

 

Leave A Reply

Your email address will not be published.