ଭୁବନେଶ୍ବର: ଧର୍ମଶାଳା ବିଧାୟକ ହିମାଂଶୁ କୁମାର ସାହୁଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଦେବାଶିଷ ପଣ୍ଡାଙ୍କୁ ମିଳିଛି ଅନ୍ତରୀଣ ସୁରକ୍ଷା। ଏହି ସୁରକ୍ଷା ଦେଇଛନ୍ତି ହାଇକୋର୍ଟ। ଆକ୍ରମଣ ମାମଲାରେ କେଶ୍ ଡାଏରୀ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଭିଯୁକ୍ତ ଦେବାଶିଷ ପଣ୍ଡା ଗିରଫ ହେବେ ନାହିଁ।
ଆକ୍ରମଣ ଘଟଣାରେ ତାଙ୍କ ନାଁରେ ଥାନାରେ ମାମଲା ହୋଇଥିଲା। ଗିରଫଦାରୀ ଭୟ ଏଡାଇବାକୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ବିଚିତ୍ରପୁର ପଞ୍ଚାୟତ ସରପଞ୍ଚ ଦେବାଶିଷ ପଣ୍ଡା। ତେବେ ସେଦିନର ଏହି ପଞ୍ଚାୟତ ଅଞ୍ଚଳରେ ଆକ୍ରମଣ ଘଟିଥିଲା।
ଉଲ୍ଲେଖଯୋଗ୍ୟ, ଯାଜପୁର ମାଆ ବିରଜା ପରିକ୍ରମା ପ୍ରକଳ୍ପ ପାଇଁ ଗତ ୨୧ ତାରିଖରେ ଆନ୍ଦୋଳନ ସମୟରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ହୋଇଥିଲା। ଏହି ମାମଲାରେ ରାଜ୍ୟ ରାଜନୀତିରେ ତୁମ୍ବୀ ତୋଫାନ ଦେଖିବାକୁ ମିଳିଥିଲା। ଉଭୟ ବିରୋଧୀ ଶାସକ ମଧ୍ୟରେ ବାକ ଯୁଦ୍ଧ ମଧ୍ୟ ଦେଖ ଦେଇଥିଲା। ହୋଇଥିବା ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସ । ଏହାପରେ ଭବଙ୍କ ନାମରେ ଆଉ ଏକାଧିକ ମାମଲା ଯୋଡା ଯାଇଥିଲା। ଏହି ଘଟଣାରେ ସରପଞ୍ଚ ଦେବାଶିଷ ପଣ୍ଡାଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ତେବେ ଏହି ମାମଲାରେ ଗିରଫଦାରୀ ଭୟ ଏଡାଇବାକୁ ସରପଞ୍ଚ ଦେବାଶିଷ ପଣ୍ଡା ଆଗୁଆ ଜାମିନ ଆବେଦନ କରିଥିଲେ। ଏହି ମାମଲାରେ ଆଜି କୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି।
Comments are closed.