ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଆକ୍ରମଣ ପ୍ରସଙ୍ଗ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲା ବିଜେପି
ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ବାଲେଶ୍ୱର ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଫରୁଖାବାଦ ସାଂସଦ ମୁକେଶ ରାଜପୁତଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସଂସଦ ସମ୍ମୁଖରେ ଆକ୍ରମଣ କରିଛନ୍ତି। ଏହାର ପ୍ରତିବାଦରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଭୁବନେଶ୍ୱର ପାୱାର ହାଉସ ଛକ ନିକଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗଣବିକ୍ଷୋଭ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହ ସେମାନେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଏହି ବିକ୍ଷୋଭରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେଇ କହିଛନ୍ତି , ଗୁରୁବାର ପବିତ୍ର ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯେପରି ଆଚରଣ ପ୍ରଦର୍ଶିତ କରି ଗୁଣ୍ଡାଗର୍ଦ୍ଦି କଲେ ତାହାକୁ ଯେତେ ନିନ୍ଦା କଲେ କମ୍ ହେବ। ତାଙ୍କ ଯୋଗୁ ଓଡ଼ିଶାର ସାଂସଦ ଶ୍ରୀ ଷଡ଼ଙ୍ଗୀ ଆହତ ହୋଇ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସଂସଦରେ ବିଜେପିର ୨ ଜଣ ସାଂସଦଙ୍କୁ ରକ୍ତାକ୍ତ କରି ରାହୁଲ ଗାନ୍ଧୀ ଯେଉଁ ରକ୍ତର ଛିଟା ପକାଇଲେ ଏହା ଇତିହାସରେ ଲିପିବଦ୍ଧ ହୋଇ ରହିବ। ତାଙ୍କର ଏହି ଆକ୍ରମଣ କେବଳ ଜନପ୍ରତିନିଧିଙ୍କ ଉପରେ ନୁହେଁ ବରଂ ଗଣତନ୍ତ୍ର ମନ୍ଦିର ଉପରେ ଆକ୍ରମଣ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଏହି ଘଟଣା ନିର୍ବାଚିତ ପ୍ରତିନିଧିଙ୍କ ସୁରକ୍ଷା ପ୍ରତି ଏକ ବିପଦପୂର୍ଣ୍ଣ ସଂକେତକୁ ଆହ୍ୱାନ କରୁଛି। ଓଡ଼ିଆ ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ଏହି ଆକ୍ରମଣ ଓଡ଼ିଆ ଲୋକଙ୍କ ଭାବନାକୁ ଗଭୀର ଭାବରେ ଆଘାତ ଦେଇଛି। ଏପରି ଅସମ୍ମାନକୁ ଓଡିଶା କେବେବି ସହ୍ୟ କରିବ ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି।
ଏହାର ପ୍ରତିବାଦ କରି ଗତକାଲି ଯୁବମୋର୍ଚ୍ଚା ତରଫରୁ ରାହୁଲ ଗାନ୍ଧୀଙ୍କର କୁଶପୁତଳିକା ଦାହ କରାଯାଇଥିବା ବେଳେ ଆଜି ବିଜେପି କାର୍ଯ୍ୟକର୍ତ୍ତାମାନେ ଗଣାଧାରଣା ଦେଇଛନ୍ତି। ଏଥିସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି।
ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଛବି ମଲ୍ଲିକ, ବାବୁ ସିଂ, ପ୍ରକାଶ ଚନ୍ଦ୍ର ସେଠୀ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ବରିଷ୍ଠ ନେତା ଅରବିନ୍ଦ ଢ଼ାଲି, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।