Latest Odisha News

BREAKING NEWS

ଥାନା IIC ଙ୍କୁ ସଂଘବଦ୍ଧ ଆକ୍ରମଣ, ୨୦ ଅଟକ

କୋରେଇ : କୋରେଇ IIC ଙ୍କୁ ସଂଘବଦ୍ଧ ଆକ୍ରମଣ। ଚୋରି ବାଇକ୍‌କୁ ଜବତ କରିବାକୁ ଯାଇଥିବା ସମୟରେ ଯାଜପୁର ଜିଲା କୋରେଇ ପୋଲିସକୁ ପୂର୍ବକୋଟ ଆକ୍ରମଣ କରିଛନ୍ତି ତେଲେଙ୍ଗା ବସ୍ତିର ଲୋକମାନେ। ଏହା  ସହିତ ସେମାନେ  ୨ ଅଭିଯୁକ୍ତଙ୍କୁ ମଧ୍ୟ ଛଡ଼ାଇ ନେଇଛନ୍ତି । ପୋଲିସ ଏହି ଘଟଣାରେ ୨୦ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, କୁଆଖିଆ ଥାନା ଅଧୀନ ଆମ୍ପର ଗ୍ରାମର ନରେନ୍ଦ୍ର ରଣା (୪୯) ଗତ ସପ୍ତାହରେ କୁଆଖିଆ ମେଳଣ ବୁଲୁଥିବା ସମୟରେ ତାଙ୍କ ବାଇକ୍‌ ଚୋରି ହୋଇଥିଲା । ଏନେଇ ସେ କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଚୋରି ବାଇକ୍‌ କୋରେଇ ଥାନା ଅଧୀନ କନ୍ତୋର ପଞ୍ଚାୟତ ପୂର୍ବକୋଟ ହାଟ ପଡ଼ିଆରେ ରହିଥିବା କୌଣସି ସୂତ୍ରରୁ ଖବର ପାଇ ଗାଡ଼ି ମାଲିକ ନରେନ୍ଦ୍ର ସେଠାରେ ପହଞ୍ଚିଥିଲେ। ଏହାପରେ ହାଟ ପଡ଼ିଆରେ ତାଙ୍କ ବାଇକ୍‌ ଥିବା ଦେଖି ସେ କୋରେଇ ପୋଲିସକୁ ଖବର ଦେଇଥିଲେ ।

ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ ଜବତ କରିବା ସହିତ ସେଠାରେ ଉପସ୍ଥିତ ଥିବା ତେଲେଙ୍ଗା ବସ୍ତିର ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା ପାଇଁ ଥାନାକୁ ନେବାକୁ ଗାଡ଼ିରେ ବସାଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ତେଲେଙ୍ଗା ବସ୍ତିର ଶତାଧିକ ମହିଳା ଓ ପୁରୁଷ ସଂଘବଦ୍ଧ ଭାବେ ଥାନାଧିକାରୀ ଏବଂ ପୋଲିସ ଗାଡ଼ି ଉପରକୁ ଅତର୍କିତ ଆକ୍ରମଣ କରିବା ସହ ୨ ଅଭିଯୁକ୍ତଙ୍କୁ ଛଡାଇ ନେଇଥିଲେ।

ଏନେଇ ଥାନାଧିକାରୀ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ସୂଚନା ଦେବା ପରେ ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ପହଞ୍ଚି ତେଲେଙ୍ଗା ବସ୍ତି ଉପରେ ଚଢ଼ାଉ କରିଥିଲେ । କନ୍ତୋର ସରପଞ୍ଚ ସାରଙ୍ଗ ପ୍ରଧାନଙ୍କ ସମେତ ଏହି ଘଟଣାରେ ସମ୍ପୃକ୍ତ ଥିବା ୨୦ରୁ ଊଦ୍ଧର୍‌ବ ଆକ୍ରମଣକାରୀଙ୍କୁ ପୋଲିସ ଉଠାଇ ନେଇ ଅଟକ ରଖିଛି ।
ଏଥିସହିତ ସେମାନଙ୍କ ନିକଟରୁ ୪ ବାଇକ୍‌ ଏବଂ ୫ରୁ ଉର୍ଦ୍ଧ ମୋବାଇଲ ଜବତ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

Comments are closed.