ଝାରସୁଗୁଡା: ବରଗଡ଼ ଜିଲ୍ଲା ସରବାହାଲ ଅଞ୍ଚଳରୁ ଅପହୃତ ସମର୍ଥ ଅଗ୍ରଓ୍ବାଲଙ୍କ ଅପହରଣକାରୀ କରିଥିବା ଫୋନ୍ କଲର ଅଡିଓ କ୍ଲିପ୍ ସାମ୍ନାକୁ ଆସିଛି। ଏହି କ୍ଲିପରୁ ଜଣାପଡ଼ୁଛି ଯେ ଅପହରଣକାରୀ ସମର୍ଥଙ୍କ ବାପା ସୁନୀତ ଅଗ୍ରଓ୍ୱାଲଙ୍କଠାରୁ ୯୦ ଲକ୍ଷ ଟଙ୍କା ପୁଅର ମୁଣ୍ଡ ପାଇଁ ମାଗିଥିଲେ। ଏହି ଅଡିଓ କ୍ଲିପରେ ଅପହୃତ ପୁଅକୁ ସୁରକ୍ଷିତ ଫେରାଇବା ବଦଳରେ କୋଲକାତାର ହାଓ୍ୱଡା ଷ୍ଟେସନରେ ସୁନୀତଙ୍କୁ ଏହି ପଇସା ଦେବା ପାଇଁ ଧମକ ଦେଉଥିବାର ଭାଇରାଲ ଅଡିଓ କ୍ଲିପରେ ଶୁଣିବାକୁ ମିଳିଛି। ପୁଅ ସହ କଥା ହେବାକୁ ସୁନୀତ ଅନେକ ଆକୁଳ ନିବେଦନ କରିଥିଲେ ମଧ୍ୟ ଅପହରଣକାରୀମାନେ କଥା ହେବାକୁ ଅନୁମତି ଦେଇନଥିଲେ।
ସୁନୀତ ଫୋନରେ ଅପହରଣକାରୀଙ୍କୁ କହିଥିଲେ ଯେ ସେ ଜଣେ ଗରିବ ପରିବାରର। ସେ ନିଜର ସମ୍ପୂର୍ଣ୍ଣ ସମ୍ପତ୍ତି ବିକ୍ରି କରିଦେଲେ ମଧ୍ୟ ଏତେ ଟଙ୍କା ଯୋଗାଡ଼ କରିପାରିବେ ନାହିଁ। ହେଲେ ଅପହରଣକାରୀ ଏହା ଶୁଣିନଥିଲେ। ଆଉ ପରଦିନ ସନ୍ଧ୍ୟା ସୁଦ୍ଧା ପୁଅର ମୁକ୍ତି ପାଇଁ ଡେଡଲାଇନ୍ ଦେଇଥିଲେ, ନଚେତ୍ ପରିଣାମ ଭୋଗିବାକୁ ପଡ଼ିବ ବୋଲି ସୁନୀତଙ୍କୁ ଚେତାବନୀ ଦେଇଥିଲେ।
ଏହି ଅଡିଓ କ୍ଲିପରେ ସୁନୀତ ତାଙ୍କ ପତ୍ନୀ ଅସୁସ୍ଥ ହୋଇପଡ଼ିଥିବା କଥା ଅପହରଣକାରୀଙ୍କୁ ଜଣାଇଥିଲେ ମଧ୍ୟ ଅପହରଣକାରୀ କୌଣସି ଦୟା ଦେଖାଇନଥିଲେ ଏବଂ ସେ ଏହି ଘଟଣା ସମସ୍ତଙ୍କ ଆଗରେ କହିଲେ ତାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଅପହରଣକାରୀ କହିଥିଲେ। ସୁନୀତ କାହାକୁ କିଛି କହିବାକୁ ମନା କରିଦେଇଥିଲେ ଏବଂ କହିଥିଲେ ଯେ ଏହି ଘଟଣା କଲୋନୀର ପିଲାମାନେ କହି ଥାଇପାରନ୍ତି।ଅପହରଣକାରୀଙ୍କ ପରିଚୟ ଜାଣିବା ପାଇଁ ପୁଲିସ ଏହି ଅଡିଓ କ୍ଲିପକୁ ଭଏସ୍ ଆନାଲିସିସ୍ ପାଇଁ ପଠାଇଛି।
ଉଲ୍ଲେଖଯୋଗ୍ୟ, ଦଶମ ଶ୍ରେଣୀ ଛାତ୍ର ଅପହରଣ ଓ ହତ୍ୟା ମାମଲାରେ ପୂର୍ବରୁ ଝାରସୁଗୁଡ଼ାର ଅମିତ କୁମାର ଶର୍ମା ଓ ବ୍ରଜରାଜନଗରର ଦୀନେଶ କୁମାର ଅଗ୍ରଓ୍ୱାଲ ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି। କିଛି ଦିନ ତଳେ ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ରିଜର୍ଭ ବାଟାଲିୟନର ଶୌଚାଳୟରେ ଆତ୍ମହତ୍ୟା ଉଦ୍ୟମ କରିଥିଲା। ପରେ ପୋଲିସ ଅଧିକାରୀ ଘଟଣାସ୍ଥଳରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।
Comments are closed.