ପର୍ଥ: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ଏଠାରେ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଥିଲା । ଗୋଟିଏ ଦିନରେ ୧୭ ୱିକେଟର ପତନ ଘଟିଛି । ଷ୍ଟମ୍ପସ ଅପସାରଣ ବେଳକୁ ଭାରତର ୧୫୦ ରନ ଜବାବରେ ଅଷ୍ଟ୍ରେଲିଆ ୬୭ ରନରେ ୭ ଟି ୱିକେଟ ହରାଇ ବିପଦରେ ପଡିଛି । ଅଧିନାୟକ ଯଶପ୍ରୀତ ବୁମରାହଙ୍କ ଚମତ୍କାର ବୋଲିଂ ଯୋଗୁ ଭାରତ ସୁବିଧାଜନକ ସ୍ଥିତିରେ ରହିଛି । ଆଲେକ୍ସ କେରୀ ୧୯ ଓ ମିଚେଲ ଷ୍ଟାର୍କ ୬ ରନ କରି ଅପରାଜିତ ରହିଛନ୍ତି । ଦଳ ଏବେ ବି ଭାରତ ସ୍କୋରଠାରୁ ୮୩ ରନ ପଛରେ ରହିଛି । ଭାରତ ପକ୍ଷରୁ ବୁମରାହ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସିରାଜ ୨ଟି ଓ ହର୍ଷିତ ରାଣା ଗୋଟିଏ ୱିକେଟ ନେଇଛନ୍ତି ।
ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୭୩ ରନରେ ୬ଟି ୱିକେଟ ହରାଇଥିଲା । ଯଶସ୍ୱୀ ଜୈସୱାଲ ଓ ଦେବଦତ ପାଡିକଲ ଖାତା ଖୋଲି ପାରି ନ ଥିଲେ । ବିରାଟ କୋହଲି ୫, ଧ୍ରୁବ ଜୁରେଲ ୧୧ ଓ ୱାଶିଂଟନ ସୁନ୍ଦର ୪ ରନ କରିଥିଲେ । ନୀତିଶ ରେଡ୍ଡୀ ୪୧ ଓ ରିଷଭ ପନ୍ତ ୩୭ ରନ କରିବା ଯୋଗୁ ଭାରତ ଏକ ଆଭରେଜ ସ୍କୋର କରିପାରିଥିଲା । ଉଭୟ ୭ମ ୱିକେଟରେ ୪୮ ରନ ଯୋଗ କରିଥିଲେ । କେଏଲ ରାହୁଲ ୨୬ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହାଜେଲଉଡ ୪ଟି ୱିକେଟ ନେଇଥିଲେ । ଭାରତ ଦ୍ୱିତୀୟ ଦିବସରେ ଅଷ୍ଟ୍ରେଲିଆକୁ ଅଲଆଉଟ କରି ପ୍ରଥମ ଇନିଂସ ଅଗ୍ରଣୀ ହାତେଇବାକୁ ଚାହିଁବ । ଏହି ସିରିଜରେ ୫ଟି ମ୍ୟାଚ ଖେଳାଯିବ । ହର୍ଷିତ ରାଣା ଓ ନୀତିଶ କୁମାର ରେଡ୍ଡୀ ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଛନ୍ତି ।