Latest Odisha News

ମ୍ୟାକ୍ସୱେଲଙ୍କ ଶତକ ଆଗରେ ଫିକା ପଡିଲା ରିତୁରାଜଙ୍କ ବିସ୍ଫୋରକ ବ୍ୟାଟିଂ, ପୁଣି ଟିମ ଇଣ୍ଡିଆକୁ କଲବଲ କଲା ଅଷ୍ଟ୍ରେଲିଆ

ଗୌହାଟୀ: ତୃତୀୟ ଟି୨୦ ମ୍ୟାଚରେ ଗ୍ଲେନ ମ୍ୟାକ୍ସୱେଲଙ୍କ ଧୂଆଁଧାର ଶତକ ବଲରେ ଅଷ୍ଟ୍ରେଲିଆ ୫ ୱିକେଟରେ ଭାରତକୁ ପରାସ୍ତ କରିଛି । ୨୨୩ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ଅଷ୍ଟ୍ରେଲିଆକୁ ଶେଷ ଓଭରରେ ୨୨ ରନ ଆବଶ୍ୟକ ହେଉଥିଲା । ପ୍ରସିଦ୍ଧ କ୍ରିଷ୍ଣାଙ୍କ ଓଭରରେ ଅଷ୍ଟ୍ରେଲିଆ ଏହାକୁ ସହଜରେ ହାସଲ କରି ନେଇଥିଲା । ଏଥିସହ ରିତୁରାଜ ଗାଏକ୍ୱାଡଙ୍କ ବିସ୍ଫୋରକ ଶତକ ମ୍ୟାକ୍ସୱେଲଙ୍କ ମ୍ୟାଚ ବିଜୟୀ ଇନିଂସ ଆଗରେ ଫିକା ପଡିଯାଇଛି । ସେ ୪୮ ବଲରେ ୮ ଚୌକା ଓ ୮ଛକା ବଳରେ ୧୦୪ ରନ କରି ଅପରାଜିତ ରହିଥିଲେ । ଅଷ୍ଟ୍ରେଲିଆର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେ ଭଳି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । ରବି ବିଶ୍ନୋଇ ଭାରତ ପକ୍ଷରୁ ସର୍ବାଧିକ ୨ଟି ୱିକେଟ ନେଇଥିଲେ । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଭାରତ ଆରମ୍ଭରୁ ଯଶସ୍ୱୀ ଜୈସୱାଲ(୬) ଓ ଈଶାନ କିଶାନ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଥିଲେ ।

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ଗାଏକ୍ୱାଡ ୫୭ ବଲର ସମ୍ମୁଖୀନ ହୋଇ ୧୩ ଚୌକା ଓ ୭ଛକା ବଳରେ ୧୨୩ ରନର ଇନିଂସ ଖେଳ ଭାରତକୁ ସୁବିଧାଜନକ ସ୍ଥିତିରେ ପଂହଚାଇ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୯ ରନ କରି ଆଉଟ ହୋଇଥିବା ବେଳେ ତିଳକ ବର୍ମା ୩୧ ରନ କରି ଅପରାଜିତ ରହିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ କେନ ରିଚାର୍ଡ୍ସ, ଜାସନ ବେହେରନଡେର୍ଫ ଓ ଆରୋନ ହାର୍ଡି ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ୨ଟି ମ୍ୟାଚ ଜିତଥିବା ବେଳେ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି ।

Comments are closed.