Latest Odisha News

BREAKING NEWS

ଦିବ୍ୟାଙ୍ଗ ଅଶୀଚାଳନା ଖେଳାଳି ମଧୁସ୍ମିତାଙ୍କୁ ୩.୭ ଲକ୍ଷ ଟଙ୍କାର କ୍ରୀଡ଼ା ସାମଗ୍ରୀ ଉପହାର ଦେଲେ ଦିବ୍ୟାଙ୍ଗ ତାନୟା

ଭୁବନେଶ୍ୱର: ଜଣେ ଦିବ୍ୟାଙ୍ଗକୁ ସହାୟତାର ହାତ ବଢ଼ାଇଛନ୍ତି ଆଉ ଜଣେ ଦିବ୍ୟାଙ୍ଗ। ମାନସିକ ଦିବ୍ୟାଙ୍ଗ ଲୀଲା ତାନୟା ଚୌଧୁରୀ ନିଜର ବଦାନ୍ୟତା ବଳରେ ସମସ୍ତଙ୍କ ହୃଦୟ ଜିଣିଛନ୍ତି । ସେ ଦିବ୍ୟାଙ୍ଗ ଅଶୀଚାଳନା ଖେଳାଳି ମଧୁସ୍ମିତା ସାହୁଙ୍କ ଅସୁବିଧା ଦୂର କରିବା ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି ।

ହୁଇଲ୍ ଚେୟାର ସହାୟତାରେ ଫେନ୍ସିଂ ବା ଅଶୀଚାଳନା କ୍ରୀଡ଼ାକୁ ଆପଣାଇଥିବା ଦିବ୍ୟାଙ୍ଗ ମଧୁସ୍ମିତା ସାହୁଙ୍କ ଅଭାବଅସୁବିଧାକୁ ହୃଦୟଙ୍ଗମ କରି ତାନୟା ଚୌଧୁରୀ ତାଙ୍କୁ ୩ ଲକ୍ଷ ୭୦ ହଜାର ଟଙ୍କାର କ୍ରୀଡ଼ା ସାମଗ୍ରୀ ଯୋଗାଇ ଦେଇଛନ୍ତି । ଶୁକ୍ରବାର ଦିନ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ତାଙ୍କ କାର୍ଯ୍ୟାଳୟ ପରିସରରେ ମଧୁସ୍ମିତାଙ୍କୁ କ୍ରୀଡ଼ା ସାମଗ୍ରୀ ହସ୍ତାନ୍ତର କରିବା ସହିତ ତାଙ୍କୁ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି । ଏହି ଅବସରରେ ୨୨ ବର୍ଷ ବୟସ୍କ ତନୟା ଓ ତାଙ୍କ ସାନ ଭଉଣୀ ଦୀକ୍ଷା ଉପସ୍ଥିତ ରହିଥିଲେ।

ତାନୟାଙ୍କ ମା’ ତଥା ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ଜଣେ ମାନ୍ୟତାପ୍ରାପ୍ତ ପରାମର୍ଶଦାତ୍ରୀ ଜ୍ୟୋଷ୍ନା ଚୌଧୁରୀ କହିଛନ୍ତି, ‘‘ଆମେ www.odishabytes.comରୁ ମଧୁସ୍ମିତାଙ୍କ ସମ୍ପର୍କରେ ପ୍ରକାଶିତ ଖବର ପଢ଼ିଥିଲୁ । ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସେ ସହାୟତା ଲୋଡ଼ିଥିଲେ । ଆମେ ତାଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଲୁ ଏବଂ ତୁରନ୍ତ ଏ ନେଇ ନ୍ୟୁଜ୍ ୱେବସାଇଟ୍ ସହ ଯୋଗାଯୋଗ କରିଥିଲୁ। ସେମାନେ ଆମକୁ ମଧୁସ୍ମିତା ଏବଂ ତାଙ୍କ କୋଚ୍ ରାଖାଲ୍ କୁମାର ସେଠୀଙ୍କ ସହିତ ଯୋଗାଯୋଗ କରାଇ ଦେଇଥିଲେ ।’’

ତାନୟାଙ୍କ ବାପା ଜିପି ଚୌଧୁରୀ କହିଛନ୍ତି, ‘‘ଭଦ୍ରକରେ ଆମେ କାହାକୁ ଜାଣିନଥିଲୁ । ତେଣୁ କ୍ରୀଡ଼ା ସାମଗ୍ରୀ ହସ୍ତାନ୍ତର କରିବା ପାଇଁ ଆମେ ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରିଥିଲୁ ଏବଂ କ୍ରୀଡ଼ା ସାମଗ୍ରୀ ଯୋଗାଇ ଦେବାକୁ ଇଚ୍ଛା ଜାହିର୍ କରିଥିଲୁ, ଏହାଦ୍ୱାରା ମଧୁସ୍ମିତା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିପାରିବେ । ପ୍ରଶାସନର ସହାୟତା ନେବା ସବୁବେଳେ ବିଶ୍ୱାସ ଓ ଭରସାଯୋଗ୍ୟ ହୋଇଥାଏ।’’

ମଧୁସ୍ମିତାଙ୍କୁ ସାହାଯ୍ୟ କରିବା ଲାଗି ଝିଅର ନିଷ୍ପତ୍ତିକୁ ସମର୍ଥନ କରି ସେମାନେ ଆନନ୍ଦିତ ବୋଲି ତାନୟାଙ୍କ ବାପା-ମା’ କହିଛନ୍ତି । ସେମାନେ ଆହୁରି କହିଛନ୍ତି, ଝିଅର ନିଷ୍ପତ୍ତି ସେମାନଙ୍କୁ ପ୍ରଭାବିତ କରିଥିଲା। ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାନୟା ଆଉ ଜଣେ ଦିବ୍ୟାଙ୍ଗଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଯିଏକି ନିଜ ଗୋଡ଼ରେ ଛିଡ଼ା ହେବାକୁ ଉଦ୍ୟମ କରୁଛନ୍ତି । ତିନି ମାସ ପୂର୍ବରୁ ଆମେ କ୍ରୀଡ଼ା ସାମଗ୍ରୀ ପାଇଁ ଟଙ୍କା ପଇଠ କରିଥିଲୁ ଏବଂ ଚାରି ଦିନ ପୂର୍ବରୁ ତାହା ଆମ ପାଖରେ ପହଞ୍ଚିଥିଲା।

ଆର୍ଥିକ ଓ ଶାରୀରିକ ସମସ୍ୟା ସତ୍ତ୍ୱେ, ମଧୁସ୍ମିତା ନିଜର ପ୍ରତିବଦ୍ଧତା ଓ ସମର୍ପଣ ହ୍ୱିଲଚେୟାର ଅଶୀଚାଳନା କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ହରିୟାଣାର କର୍ଣ୍ଣାଲ ଠାରେ ଆୟୋଜିତ ଜାତୀୟ ସ୍ତରର ହ୍ୱିଲଚେୟାର ଅଶୀଚାଳନା ପ୍ରତିଯୋଗିତାରେ ସେ ଓଡ଼ିଶା ପାଇଁ ସ୍ୱର୍ଣ୍ଣ ଏବଂ ରୋପ୍ୟ ପଦକ ହାସଲ କରିଥିଲେ। ମଧୁସ୍ମିତାଙ୍କ ଘର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ରାମେଶ୍ୱରପୁର ଗ୍ରାମରେ । ତାଙ୍କ ବାପା ଭାଗବତ ସାହୁ ପେସାରେ ଜଣେ କୁମ୍ଭାର ଯାହାଙ୍କ ସ୍ୱଳ୍ପ ରୋଜଗାରରେ ପରିବାର ଚଳିଥାଏ। କ୍ରୀଡ଼ା ସାମଗ୍ରୀ ପାଇଁ କରିଥିବା ଅନୁରୋଧ ପୂରଣ ହୋଇଥିବାରୁ ମଧୁସ୍ମିତା ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ସହାୟତା ମିଳିବା ନେଇ ତାଙ୍କ ମନରେ ସନ୍ଦେହ ରହିଥିଲା। ଏବେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ତାଙ୍କ ପାଖରେ କ୍ରୀଡ଼ା ସାମଗ୍ରୀ ଅଛି ବୋଲି ସେ ବିଶ୍ୱାସ କରିପାରୁନାହାନ୍ତି । ତାନୟା ତାଙ୍କ ପାଇଁ ଈଶ୍ୱରଙ୍କ ଦୂତ ହୋଇ ଆସିଛନ୍ତି ବୋଲି ଭାବପ୍ରବଣ ହୋଇପଡ଼ିଥିବା ମଧୁସ୍ମିତା କହିଛନ୍ତି ।

ଚୌଧୁରୀ ପରିବାର ପ୍ରତି କୃତଜ୍ଞତା ପ୍ରକାଶ କରି, ମଧୁସ୍ମିତାଙ୍କ ପ୍ରଶିକ୍ଷକ ଶ୍ରୀ ସେଠୀ କହିଛନ୍ତି, ଦେଶ ପାଇଁ ଗୌରବ ଆଣିବାର ସମ୍ଭାବନା ମଧୁସ୍ମିତାଙ୍କ ପାଖରେ ରହିଛି । କ୍ରୀଡ଼ା ସାମଗ୍ରୀ ମିଳିବା ପରେ ସେ ଏବେ ନିଜ ପ୍ରଶିକ୍ଷଣ ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବେ । ଇଚ୍ଛା ଥିଲେ ଉପାୟ ଆପେ ଆସେ, ମଧୁସ୍ମିତାଙ୍କ କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି ।

Leave A Reply

Your email address will not be published.