Latest Odisha News

BREAKING NEWS

ଆଇପିଏଲର ପ୍ରଥମ ମ୍ୟାଚରେ କମାଲ କଲେ ଅଟୋ ଚାଳକଙ୍କ ପୁଅ, ଧୋନୀ ବି ଦେଲେ ଆଶୀର୍ବାଦ!

ମୁମ୍ବାଇ: ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଦିନ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ୧୫୬ ରନର ଟାର୍ଗେଟ୍ ଦେଇଥିଲା। ଏହି ମ୍ୟାଚରେ ବାମହାତୀ ସ୍ପିନର ବିଗ୍ନେଶ ପୁତୁର ଇମ୍ପାକ୍ଟ ପ୍ଲେୟାର ଭାବେ ଏଂଟ୍ରି କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।

ଦ୍ୱିତୀୟ ଓଭରରେ ବୋଲିଂ ଆରମ୍ଭ କରିଥିବା ବିଗ୍ନେଶ ଜବରଦସ୍ତ ଲାଇନ ଓ ଲେଙ୍ଗ୍ଥରେ ବୋଲିଂ କରି ଚେନ୍ନାଇର ଅଧିନାୟକ ଋତୁରାଜ ଗାୟକୱାଡଙ୍କୁ ଏକ ଚମତ୍କାର କ୍ୟାଚରେ ଆଉଟ କରିଥିଲେ। ଏହାପରେ ସେ ଶିବମ ଦୁବେ ଓ ଦୀପକ ହୁଡାଙ୍କୁ ମଧ୍ୟ କ୍ୟାଚ ଆଉଟ କରି ଚେନ୍ନାଇକୁ ସଙ୍କଟରେ ପକାଇ ଦେଇଥିଲେ। ଏହି ତିନି ଗୁରୁତ୍ୱପୂର୍ଣ୍ଣ ୱିକେଟ ହରାଇ ଚେନ୍ନାଇ ଦଳ ଖୁବ୍ କମ୍ ସମୟରେ ଚାପରେ ପଡ଼ିଥିଲେ। ଏହାପରେ ସମସ୍ତେ ଜାଣିବାକୁ ଚାହିଁଛନ୍ତି ଯେ, ଏହି ବିଗ୍ନେଶ ପୁତୁର କିଏ?

୨୩ ବର୍ଷୀୟ ବିଗ୍ନେଶ ପୁତୁର କେରଳର ମାଲାପୁରମ ଜିଲ୍ଲାରୁ ଆସିଛନ୍ତି। ତାଙ୍କ ବାପା ଜଣେ ଅଟୋ ରିକ୍ସା ଚାଳକ। ମୁମ୍ବାଇ ଇଣ୍ଡିଆନ୍ସର ସ୍କାଉଟିଂ ଟିମ୍ ତାଙ୍କୁ ଚିହ୍ନଟ କରି ୩୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲେ। ଆଇପିଏଲ ଅଭିଷେକରେ ବିଗ୍ନେଶ ପ୍ରଥମ ଓଭରରେ ଋତୁରାଜ ଗାୟକୱାଡଙ୍କୁ ଆଉଟ କରି ଚମକାଇ ଦେଇଛନ୍ତି। ଏହାପରେ ସେ ଶିବମ ଦୁବେଙ୍କୁ ଦ୍ୱିତୀୟ ୱିକେଟ ଭାବେ ଓ ତୃତୀୟ ଓଭରରେ ଦୀପକ ହୁଡାଙ୍କୁ ଡିପ୍ ସ୍କୋୟାର ଲେଗରେ କ୍ୟାଚ ଆଉଟ କରିଥିଲେ।

ନିଜର ପ୍ରଥମ ଆଇପିଏଲ ମ୍ୟାଚରେ ବିଗ୍ନେଶ ୪ ଓଭର ବୋଲିଂ କରି ୩୨ ରନ ଦେଇ ୩ଟି ୱିକେଟ ହାସଲ କରିଥିଲେ। ତାଙ୍କ ଏହି ପ୍ରଦର୍ଶନ ମୁମ୍ବାଇ ଇଣ୍ଡିଆନ୍ସକୁ ମ୍ୟାଚରେ ଫେରିବାର ଆଶା ଦେଇଥିଲା, କିନ୍ତୁ ଶେଷରେ ଜିତିବା ପାଇଁ ଏହା ପର୍ଯ୍ୟାପ୍ତ ହୋଇ ନଥିଲା।

ଆଶ୍ଚର୍ଯ୍ୟଜନକ ଭାବେ, ବିଗ୍ନେଶ କେରଳ ପାଇଁ ସିନିୟର ସ୍ତରରେ କ୍ରିକେଟ ଖେଳି ନାହାଁନ୍ତି। ସେ କେବଳ ଅଣ୍ଡର-୧୪ ଓ ଅଣ୍ଡର-୧୯ ସ୍ତରରେ ରାଜ୍ୟକୁ ପ୍ରତିନିଧିତ୍ୱ କରିଛନ୍ତି। କେରଳ କ୍ରିକେଟ ଲିଗରେ ଆଲେପ୍ପି ରିପଲ୍ସ ପାଇଁ ଖେଳି ସେ ୩ଟି ମ୍ୟାଚରେ ମାତ୍ର ୨ଟି ୱିକେଟ ହାସଲ କରିଥିଲେ। ଏହାଛଡ଼ା ସେ ତାମିଲନାଡୁ ପ୍ରିମିୟର ଲିଗରେ ମଧ୍ୟ ଭାଗ ନେଇଥିଲେ।

ବିଗ୍ନେଶ ନିଜ କ୍ୟାରିଅର ଆରମ୍ଭରେ ମିଡିୟମ ପେସ୍ ଓ ସ୍ପିନ ବୋଲିଂ କରୁଥିଲେ, କିନ୍ତୁ ସ୍ଥାନୀୟ କ୍ରିକେଟର ମହମ୍ମଦ ଶରିଫଙ୍କ ପରାମର୍ଶରେ ଲେଗ୍-ସ୍ପିନ ଆପଣାଇଥିଲେ। ଚାଇନାମ୍ୟାନ ବୋଲିଂ ବିଷୟରେ ତାଙ୍କର କୌଣସି ଧାରଣା ନଥିଲା। ଅକ୍ଲାନ୍ତ ପରିଶ୍ରମ ଓ ଅଭ୍ୟାସ ପରେ ସେ ନିଜ କ୍ୟାରିଅରକୁ ଆଗେଇ ନେବା ପାଇଁ ତ୍ରିଶୁରକୁ ଚାଲି ଆସିଥିଲେ। ସେଣ୍ଟ ଥୋମାସ କଲେଜ ପାଇଁ ଖେଳି ସେ କେରଳ କଲେଜ ପ୍ରିମିୟର ଟି-୨୦ ଲିଗରେ ସର୍ବାଧିକ ୱିକେଟ ହାସଲ କରିଥିଲେ। ଏହି ପ୍ରଦର୍ଶନ ତାଙ୍କୁ ଆଲେପ୍ପି ରିପଲ୍ସ ଦଳରେ ସ୍ଥାନ ଦେଇଥିଲା, ଓ ତା’ପରେ ସେ ପଛକୁ ଫେରି ଚାହିଁ ନାହାଁନ୍ତି।

ଯଦିଓ ମ୍ୟାଚଟି ଚେନ୍ନାଇ ବିଜୟୀ ହୋଇଛି କିନ୍ତୁ ଖେଳ ଶେଷ ପରେ ଚେନ୍ନାଇର ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂହ ଧୋନୀ ବିଗ୍ନେଶଙ୍କ ପାଖକୁ ଆସିଥିଲେ ଆଉ ତାଙ୍କ ବିଷୟରେ ପଚାରିଥିବା ଦେଖିବାକୁ ମିଳିଛି ।

Comments are closed.