Latest Odisha News

BREAKING NEWS

ମହଙ୍ଗା ପଡ଼ିଲା ରନୱେରେ ଯାତ୍ରୀଙ୍କ ରାତ୍ରିଭୋଜନ, ୧ କୋଟି ୨୦ ଲକ୍ଷ ଟଙ୍କା ତଣ୍ଡ ଗଣିବ ଇଣ୍ଡିଗୋ

ମୁମ୍ବାଇ: ଇଣ୍ଡିଗୋକୁ ମହଙ୍ଗା ପଡ଼ିଲା ରନୱେରେ ଯାତ୍ରୀଙ୍କ ରାତ୍ରିଭୋଜନ। ଗଣିବ ଦେଢ କୋଟିର ତଣ୍ଡ । ବିମାନ ଉଡ଼ାଣରେ ମାତ୍ରାଧିକ ବିଳମ୍ବ ଯୋଗୁଁ ମୁମ୍ବାଇ ବିମାନବନ୍ଦରର ରନୱେ ଉପରେ ଯାତ୍ରୀମାନେ ବସି ଖାଉଥିବା ଭିଡିଓ ଭାଇରାଲ୍ ହୋଇଥିଲା। ଇଣ୍ଡିଗୋ ବିମାନ ପକ୍ଷରୁ ସେଠାରେ ସେମାନଙ୍କୁ ଖାଦ୍ୟ ଦିଆଯାଇଥିଲା । ଏଥିପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ।

ସୂଚନା ଅନୁସାରେ, କେବଳ ଇଣ୍ଡିଗୋ ଏୟାରଲାଇନ୍ସ ନୁହେଁ ମୁମ୍ବାଇ ବିମାନବନ୍ଦର ଉପରେ ମଧ୍ୟ ୯୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି । ତେବେ ଗତ ୩୦ ଦିନ ଭିତରେ ଏହି ଫାଇନ୍‌ ଦେବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ କାରଣ ଦର୍ଶାଅ ନୋଟିସ ପଠାଯାଇଥିଲେ ସୁଦ୍ଧା କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ଜୋରିମାନା କରିଛି ଡିଜିସିଏ । ବ୍ୟୁରୋ ଅଫ୍‌‌ ସିଭିଲ ଆଭିଏସନ୍‌‌ ସିକ୍ୟୁରିଟି ପକ୍ଷରୁ ଉଭୟଙ୍କୁ ନୋଟିସ୍‌‌ ପଠାଯାଇଥିବା ସୂଚନା ମିଳିଛି । ସେହିପରି ଘନ କୁହୁଡି ଓ ଲୋ-ଭିଜିବିଲିଟିରେ ବିମାନ ଉଡାଣର ତାଲିମ ପାଇନଥିବା ପାଇଲଟଙ୍କୁ ନିୟୋଜିତ କରାଯାଇଥିବାରୁ ଏୟାର ଇଣ୍ଡିଆ ଓ ସ୍ପାଇସଜେଟକୁ ମଧ୍ୟ ୩୦ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ହୋଇଛି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଇଣ୍ଡିଗୋ ଏୟାରଲାଇନ୍ସର କିଛି ଯାତ୍ରୀ ମୁମ୍ବାଇ ବିମାନବନ୍ଦରରେ ରନୱେରେ ବସି ଖାଦ୍ୟ ଖାଉଥିଲେ । କୁହୁଡ଼ି ହେତୁ ବିମାନ ବିଳମ୍ବ ହେବାପରେ ଯାତ୍ରୀମାନଙ୍କୁ ରନୱେରେ ବସି ଖାଦ୍ୟ ଦିଆଯାଉଥିଲା ଏବଂ ସେମାନଙ୍କ ସହ ଅସଦାଚରଣ ମଧ୍ୟ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି । ବିମାନ ସେବା କହିଛି ଯେ ଯାତ୍ରୀମାନେ ବିମାନରୁ ଦୂରେଇ ଯିବାକୁ ଚାହୁଁନଲେ । ସେଥିପାଇଁ ତାଙ୍କୁ ସେଠାରେ ଖାଦ୍ୟ ଦିଆଯାଇଥିଲା ।

Leave A Reply

Your email address will not be published.