ସୋନପୁର : ସୋନପୁର ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରଠାରେ ଏକ ପ୍ରଚାର ରଥର ଶୁଭାରମ୍ଭ ହୋଇଯାଇଛି । ପିସିଭି ଟୀକାର ନିୟମିତ ଟୀକାକରଣ ସୂଚୀରେ ସାମିଲ ହେବା ଅବସରରେ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ପ୍ରଚାର ରଥର ଶୁଭାରମ୍ଭ ହୋଇଛି । ଆଗାମୀ ୯ ଜୁଲାଇ ଯାଏଁ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ସମସ୍ତ ଗ୍ରାମରେ ବୁଲି ଏହି ରଥ ବ୍ୟାପକ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି ।
ନିମୋନିଆ ହେଉଛି ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କର ମୃତ୍ୟୁର କାରଣ ମାନଙ୍କ ମଧ୍ୟରୁ ଏକ ପ୍ରମୁଖ କାରଣ । ଦୁଇ ବର୍ଷରୁ କମ୍ ବୟସର ପିଲାମାନେ ନିମୋନିଆରେ ଆକ୍ରାନ୍ତ ହୋଇଥାନ୍ତି। ନିମୋକୋକସ୍ ଜୀବାଣୁ ଦ୍ଵାରା ମସ୍ତିସ୍କରେ ହେଉଥିବା ସଂକ୍ରମଣ ଓ ନିମୋନିଆରୁ ସୁରକ୍ଷା ଦେବାରେ ପିସିଭି ଟୀକା ସାହାଯ୍ୟ କରିଥାଏ । ତେଣୁ ନିୟମିତ ଟୀକାକରଣ ସୂଚୀରେ ପିସିଭି ଟୀକାକୁ ସାମିଲ କରାଯାଇଛି। ପିଲାକୁ ଦେଢ ମାସ, ସାଢେ ତିନି ମାସ ଏବଂ ନଅ ମାସରେ ପିସିଭି ଟୀକା ଦିଆଯିବ । ସଚେତନତା ରଥ ବ୍ୟତିତ ଗ୍ରାମ୍ୟସ୍ତର ରେ କୋଭିଡ ନିୟମ ପାଳନ ସହିତ ଆହୁରି ସଚେତନତା ମୂଳକ କାର୍ଯ୍ୟକ୍ରମମାନ ଆୟୋଜନର ଯୋଜନା ରହିଛି ବୋଲି ଡାକ୍ତରଖାନା ତରଫରୁ ସୂଚନା ମିଳିଛି।
Comments are closed.