Latest Odisha News

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ଅନୁଗୁଳ: ସମାଜରେ ଡାକ୍ତରଙ୍କୁ ମିଳିଛି ଦ୍ୱିତୀୟ ଭଗବାନଙ୍କ ଆଖ୍ୟା । ହେଲେ ସେହି ମଣିଷ ରୂପି ଭଗବାନଙ୍କୁ ଜଣେ ବ୍ୟକ୍ତିର ସଇତାନୀ ମାନସିକତା ଅପମାନିତ କରିଛି । ଜାଣି ଚକିତ ହେବେ ଜଣେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଭଳି ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି । ଏପରି ଏକ ଘଟଣାକୁ ନେଇ ଲଜ୍ଜା ମୁଣ୍ଡାଇଛି ଅନୁଗୁଳ ଜିଲ୍ଲା ।

ମିଳିଥିବା ସୂଚନା ଅନୁଯାୟୀ ଛେଣ୍ଡିପଦା ଥାନା ଅଂଚଳର ଜଣେ ମହିଳା ଡାକ୍ତରଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଥାନାର ଅଭିଯୋଗ ହୋଇଥିଲା । ମହିଳା ଡାକ୍ତର ଜଣକ ସରକାରୀ କ୍ୱାର୍ଟରରେ ନିଜ ଭାଇ ସହ ରୁହନ୍ତି । ଗତ ୨୮ ତାରିଖ ରାତିରେ ମହିଳା ଡାକ୍ତରଙ୍କ ଭାଇ “ନ୍ୟୁ ଉମା” ନାମକ ଏକ ହୋଟେଲକୁ ଖାଇବାକୁ ଯାଇଥିଲେ । କୌଣସି କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେହି ହୋଟେଲର ମାଲିକ ସୁକାନ୍ତ କୁମାର ବେହେରା ଓରଫ ପିଣ୍ଟୁ ହାତରେ ଘରକୁ ଖାଇବା ପାର୍ସଲ୍ ପଠାଇଥିଲେ ।

ଅନ୍ୟପଟେ ଘରେ ଏକୁଟିଆ ଥିଲେ ମହିଳା ଡାକ୍ତର । ହୋଟେଲ ମାଲିକ ସୁକାନ୍ତ ବିଳମ୍ବିତ ରାତିରେ ମହିଳାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିବାକୁ ପଛାଇନଥିଲା । ଏହି ଘଟଣାକୁ ନେଇ ଗତକାଲି ମହିଳା ଡାକ୍ତର ଜଣକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରିବା ସହ ମହିଳା ଡାକ୍ତରଙ୍କ ଡାକ୍ତରୀ ମାଇନା କରାଇଥିଲା ।

ଗତକାଲି ଅଭିଯୁକ୍ତ ସୁକାନ୍ତ ଓରଫ ପିଣ୍ଟୁ ଡାକ୍ତରଖାନା ପରିସରରେ ବୁଲୁଥିବାବେଳେ ପୋଲିସ ତାକୁ ଗିରଫ କରିଥିଲା । ପରେ ଅଭିଯୁକ୍ତର ଡାକ୍ତରୀ ମାଇନା କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି । ଅନ୍ୟପଟେ ଆଜି ଛେଣ୍ଡିପଦା ପୋଲିସ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ଧାରା ୧୪୬ ଅନୁଯାୟୀ ମହିଳାଙ୍କର ବୟାନ ରେକର୍ଡ କରାଇଛି । ଡାକ୍ତରଖାନା ପରିସରରେ ଏଭଳି ଘଟଣା ସାଧାରଣ ଲୋକଙ୍କୁ ଚକିତ କରିଛି । ଦୁଷ୍କର୍ମ ଅଭିଯୁକ୍ତକୁ କଠୋର ଶାସ୍ତି ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

Leave A Reply

Your email address will not be published.