ଯାଜପୁର: ଯାଜପୁର ଜିଲ୍ଲାରେ ଆବାସ ଯୋଜନା ଦାଇତ୍ୱରେ ଥିବା ଅଧିକାରୀଙ୍କ ବଦଳରେ ଏଣିକି କିନ୍ନର ମାନେ ଏହାର ତଦାରଖ କରିବେ । ଜିଲ୍ଲାରେ ଥିବା କିନ୍ନର ସଂଘ ମାଧ୍ୟମରେ ବିଭିନ୍ନ ଯୋଜନାକୁ ସଫଳ କରିବାକୁ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ କିନ୍ନର ସଂଘର ସଭାପତି କାଜଲ ନାୟକ ଓ ଅନ୍ୟାନ୍ୟ ସଦସ୍ୟଙ୍କ ସହ ଆଲୋଚନା କରି କିନ୍ନରଙ୍କୁ ପରିବର୍ତନ ବାହିନୀ ନାମରେ ସାମିଲ କରିଛନ୍ତି ।
ଜିଲ୍ଲା ପ୍ରଶାସନ ପକ୍ଷରୁ କିନ୍ନର ମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି । ଆଜିଠାରୁ ଆରମ୍ଭ ହୋଇଛି ଏହି ଅଭିଯାନ । ବିଭିନ୍ନ ଆବାସ ଓ ପାଇଖାନା ଯୋଜନାରେ କାର୍ଯ୍ୟାଦେଶ ପାଇ ମଧ୍ୟ ଯେଉଁ ହିତାଧିକାରୀ ମାନେ ଘର ବା ପାଇଖାନା କରି ନାହାନ୍ତି ସେମାନଙ୍କ ଘରକୁ ଯାଇ କିନ୍ନର ମାନେ ତାଗିଦ କରିଛନ୍ତି । ସେମାନେ ନିର୍ଦ୍ଧିଷ୍ଠ ସମୟସୀମା ମଧ୍ୟରେ ଘରଟି ପୂର୍ଣ୍ଣାଙ୍ଗ କରିବା ପାଇଁ ହିତାଧିକାରୀଙ୍କୁ କହିଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ପୁନଶ୍ଚ କିନ୍ନର ମାନେ ସେହି ଘରକୁ ପରିଦର୍ଶନ କରି ଅଗ୍ରଗତି ଦେଖିବେ ।
ଯଦି କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇ ନଥିବ, ତେବେ ଗୃହ ନିର୍ମାଣ ଲାଗି ପାଇଥିବା ଟଙ୍କା ସରକାରଙ୍କୁ ଫେରାଇବାକୁ କିନ୍ନର ମାନେ ସଂପୃକ୍ତ ହିତାଧିକାରୀ ମାନଙ୍କୁ ବିଭିନ୍ନ ସାମାଜିକ ଲଜ୍ଜା ମାଧ୍ୟମରେ ବାଧ୍ୟ କରିବେ । ଏନେଇ ଏକ ଚୁକ୍ତିପତ୍ରରେ ହିତାଧିକାରୀଙ୍କ ଠାରୁ ଦସ୍ତଖତ ଆଣିଛନ୍ତ କିନ୍ନରି । ସେପଟେ ଏଭଳି କାର୍ଯ୍ୟ ହାତକୁ ନେଇ କିନ୍ନର ମାନେ ମଧ୍ୟ ବେଶ୍ ଉତ୍ସାହିତ । ସରକାର ଦେଇଥିବା ଏହି ଦାଇତ୍ୱକୁ ସୁଚାରୁ ରୂପେ ତୁଲାଇବେ ବୋଲି କହିଛନ୍ତି କିନ୍ନର ।
ନିୟମ ଅନୁସାରେ ହିତାଧିକାରୀ ଚିହ୍ନଟ କରାଯାଇ ଗୃହ ଓ ପାଇଖାନା ନିର୍ମାଣ ପାଇଁ କାର୍ଯ୍ୟାଦେଶ ପତ୍ର ଦିଆଯାଏ । ଏପରିକି ପ୍ରଥମେ ଗୋଟିଏ ଦୁଇଟି କିସ୍ତି ଟଙ୍କା ମଧ୍ୟ ହିତାଧିକାରୀଙ୍କ ଆକାଉଂଟକୁ ଯାଏ । ପରବର୍ତୀ ସମୟରେ ସଂପୃକ୍ତ ହିତାଧିକାରୀ ଯୋଜନାର ପୂର୍ଣ୍ଣାଙ୍ଗ ନକରି ଅଧାପନ୍ତରିଆ ଭାବେ ପକାଇ ଦିଅନ୍ତି । ପରେ ସରକାରୀ ବାବୁମାନେ ହିତାଧିକାରୀଙ୍କ ନିକଟକୁ ଧାଇଁ ଧାଇଁ କେବେ ହତାଶ ହୁଅନ୍ତି ତ କେବେ ତଦାରଖ କରୁନାହାଁନ୍ତି ବୋଲି ଅପବାଦ ପାଆନ୍ତି । ହେଲେ ହିତାଧିକାରୀ କିନ୍ତୁ ଆଉ ଧରାଛୁଆଁ ନଦେଇ ପ୍ରକଳ୍ପଟିକୁ ଅଧାପନ୍ତରିଆ ରଖିଦିଏ ।
ଏଭଳି ସମସ୍ୟାର ସମାଧାନ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ନେଇଛି ଏହି ଅଭିନବ ପଦକ୍ଷେପ । ଆଜି କିନ୍ନର ମାନେ ପ୍ରଥମ ପର୍ଯ୍ୟାୟରେ କୋରାଇ ବ୍ଳକ ଅସନଝର ପଂଚାୟତର ଘରକୁ ଘର ବୁଲି ହିତାଧିକାରୀ ମାନଙ୍କୁ ଅସମ୍ପୁର୍ଣ୍ଣ ଗୃହ ଓ ପାଇଖାନା କାର୍ଯ୍ୟ ସାରିବାକୁ ତାଗିଦ କରିଛନ୍ତି । ସେପଟେ ଟଙ୍କା ପାଇ କାହିଁକି ଘର କରିନାହରନ୍ତି ବୋଲି ପଚାରିବାରୁ ହିତାଧିକାରୀ ମାନେ ବିଭିନ୍ନ ଆଳ ଦେଖାଇ ଗୃହ ନିର୍ମାଣ କରି ନଥିବା କହିଛନ୍ତି । ଅନ୍ୟପଟେ କିନ୍ନର ମାନଙ୍କ ସହଯୋଗ ପାଇ ଏହି ଅଭିନବ ବ୍ୟବସ୍ଥା ବେଶ ସଫଳ ହେବ ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଆଶା ବ୍ୟକ୍ତ କରିଛନ୍ତି । କିନ୍ନର ମାନଙ୍କ ଏହି ଅଭିଯାନରେ ସ୍ଥାନୀୟ ସରପଂଚ ଓ ବିଭାଗୀୟ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ ।
Comments are closed.