Latest Odisha News

ଅଯୋଧ୍ୟା ରାମ ମନ୍ଦିର ପାଇଁ ଚାଲିଛି ପୂଜାରୀ ଚୟନ, ଆବେଦନ କରିଛନ୍ତି ୩ ହଜାର ପ୍ରାର୍ଥୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ୨୦୨୪ ଜାନୁୟାରି ୨୨ ତାରିଖ ଦିନ ଅନୁଷ୍ଠିତ ହେବ । ଏବେ ରାମ ମନ୍ଦିରର ପୂଜାରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିପାଇଁ ୩୦୦୦ ପ୍ରାର୍ଥୀ ଆବେଦନ କରିଥିଲେ । ଏଥିମଧ୍ୟରୁ ୨୦୦ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଛି । ମକର ସଂକ୍ରାନ୍ତି ପରେ ଜାନୁଆରି ୨୨ ତାରିଖରେ ରାମଲାଲା ମନ୍ଦିରରେ ବିରାଜମାନ ହୋଇଯିବେ ।

ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି କହିଛନ୍ତି, ବୃନ୍ଦାବନର ଜୟକାନ୍ତ ମିଶ୍ର ଏବଂ ଅଯୋଧ୍ୟାର ଦୁଇ ମହନ୍ତ ମେଥିଲେଶ ନନ୍ଦିନୀ ଶରଣ ଏବଂ ସତ୍ୟ ନାରାୟଣ ଦାସଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ବିଚାରକ ମଣ୍ଡଳୀ ରାମମନ୍ଦିରର ପୂଜାରୀ ପାଇଁ ଆବେଦନ କରିଥିବା ୨୦୦ଜଣ ପ୍ରାର୍ଥୀଙ୍କ ସାକ୍ଷାତକାର ନେଉଛନ୍ତି । ଏହି ୨୦୦ଜଣ ପ୍ରାର୍ଥୀଙ୍କୁ ସେମାନଙ୍କ ଯୋଗ୍ୟତା ଆଧାରରେ ସାକ୍ଷାତକାର ପାଇଁ ବଛାଯାଇଛି । ସାକ୍ଷାତକାରରେ ପୂଜାରୀଙ୍କୁ ପଚରା ଯାଉଥିବା ପ୍ରଶ୍ନ କଠିନ ରହିଛି ବୋଲି କୁହାଯାଉଛି । ରାମମନ୍ଦିର ପୂଜାରୀ ଚୟନ ପାଇଁ ପଚରାଯାଉଥିବା ପ୍ରଶ୍ନ ମଧ୍ୟରେ ରହିଛି, ‘ସନ୍ଧ୍ୟା ବନ୍ଦନା’ କ’ଣ, ଏହାର ବିଧି କ’ଣ ଓ ଏହି ପୂଜା ପାଇଁ କ’ଣ ମନ୍ତ୍ର ରହିଛି । ଭଗବାନ ରାମଙ୍କ ପୂଜା ପାଇଁ ମନ୍ତ୍ର କ’ଣ ଓ ‘କର୍ମ କାଣ୍ଡ’ କ’ଣ ଇତ୍ୟାଦି ଇତ୍ୟାଦି ।

ତେବେ ଏହି ୨୦୦ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୨୦ଜଣଙ୍କୁ ଚୟନ କରାଯିବ । ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ୬ମାସ ପ୍ରଶିକ୍ଷଣ ପରେ ପୂଜାରୀ ଭାବେ ବିଭିନ୍ନ ପଦବୀରେ ନିଯୁକ୍ତି ମିଳିବ । ଯେଉଁ ପୂଜାରୀମାନେ ଏହି ପଦବୀରୁ ବାଦ ପଡ଼ିବେ ସେମାନେ ମଧ୍ୟ ଏହି ପ୍ରଶିକ୍ଷଣରେ ଭାଗ ନେଇପାରିବେ । ପ୍ରଶିକ୍ଷଣ ଶେଷ ହେବାପରେ ସେମାନଙ୍କୁ ପ୍ରମାଣପତ୍ର ଦିଆଯିବ । କୁହାଯାଉଛି କି ଆବଶ୍ୟକ ପଡ଼ିଲେ ଏହି ପୂଜାରୀମାନଙ୍କୁ ଭବିଷ୍ୟତରେ ସୁଯୋଗ ଦିଆଯାଇପାରେ । ପ୍ରଶିକ୍ଷଣ ସମୟରେ ପ୍ରାର୍ଥୀଙ୍କୁ ମାଗଣାରେ ଭୋଜନ ଏବଂ ଘର ସହିତ ୨୦୦୦ ଟଙ୍କା ଭତ୍ତା ମିଳିବାର ଯୋଜନା ବି କରାଯାଇଛି ।

Comments are closed.