Latest Odisha News

BREAKING NEWS

ରାହୁଲ ବୁଝାଇଲେ ବିଜେପିର ସିଷ୍ଟମ, ରାସ୍ତାରେ ବୁଲିଲେ ମୋଦି !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ମତଦାନ ତାରିଖ ପାଖେଇ ଆସୁଥିବାବେଳେ ଉଭୟ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପିର ପ୍ରଚାର ଆହୁରି ତୀଵ୍ର ହୋଇଛି। ଉଭୟ ଦଳର କେନ୍ଦ୍ରୀୟ ଶୀର୍ଷ ନେତୃତ୍ୱ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସବୁ ଶକ୍ତି ଲଗାଇ ଦେଇଛନ୍ତି।

ଏହି ଅବସରରେ କଂଗ୍ରେସ ନିଜର ଘୋଷଣା ପତ୍ର ଜାରି କରିଛି। ଏଥିରେ ଯୁବ ବର୍ଗଙ୍କ ଠାରୁ ଆରମ୍ଭ କରି ମହିଳା ସୁରକ୍ଷା, କୃଷକ, ଶ୍ରମିକ ଆଦି ସବୁ ବର୍ଗକୁ ଆଖି ଆଗରେ ରଖି ବହୁ ଘୋଷଣା କରାଯାଇଛି।

ଯୁବବର୍ଗଙ୍କ ପାଇଁ ୧୦ ଲକ୍ଷ ନୂଆ ରୋଜଗାର ସୃଷ୍ଟି କରାଯିବ ବୋଲି ଘୋଷଣା ପତ୍ରରେ ସ୍ଥାନ ଦିଆଯାଇଥିବା ବେଳେ ଚାରି ଲକ୍ଷ ନୂଆ ସରକାରୀ ଚାକିରୀ ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଛି।

ସେହିପରି ମହିଳାଙ୍କ ସୁରକ୍ଷା ପାଇଁ ସର୍ବସାଧାରଣ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିବା ସହ ପ୍ରହରୀ ନିଯୁକ୍ତି ହେବ। କୃଷକ ମାନଙ୍କ ପାଇଁ ଏମଏସପିକୁ ନେଇ ଆଇନ ଅଣାଯିବ।

ନରେଗାରେ ଶ୍ରମିକଙ୍କ ରୋଜଗାର ଅବଧି ୧୫୦ ଦିନକୁ ବୃଦ୍ଧି କରାଯିବ। ଚିକିତ୍ସା କ୍ଷେତ୍ରରେ ଚିରଞ୍ଜିବି ସ୍ୱାସ୍ଥ୍ୟ ସୁରକ୍ଷା ବୀମା ରାଶି ୨୫ ଲକ୍ଷରୁ ବଢ଼ାଯାଇ୫୦ ଲକ୍ଷ କରାଯିବ। କଂଗ୍ରେସ ପକ୍ଷରୁ ନିଜର ଇସ୍ତାହାରରେ ବିଭିନ୍ନ ବର୍ଗ ପାଇଁ ଏଭଳି ଲୋଭନୀୟ ସ୍କିମ ଘୋଷଣା ହୋଇଛି।

କଂଗ୍ରେସ ଜାତୀୟ ସଭାପତି ମଲ୍ଲିକର୍ଜୁନ ଖଡ଼ଗେ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ପିସିସି ସଭାପତି , ସଚିନ ପାଇଲଟ ଆଦି ପ୍ରମୁଖ ନେତାଙ୍କ ଉପସ୍ଥିତିରେ ୱାରରୁମରେ ଦଳର ଇସ୍ତାହାର ପ୍ରକାଶ କରାଯାଇଛି।

ପୂର୍ବ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଇସ୍ତାହାରରେ ଯାହା ପ୍ରତିଶ୍ରୁତି ଦେଇଥିଲା ତାର ୯୦ ପ୍ରତିଶତ ପୂରଣ କରିଥିବା କୁହାଯାଇଛି। ପୁର୍ବରୁ କଂଗ୍ରେସ ପକ୍ଷରୁ ରାଜସ୍ଥାନରେ ସାତୋଟି ଗ୍ୟାରେଣ୍ଟି ଦିଆଯାଇସାରିଛି।

ସେଥିରେ ମହିଳାଙ୍କୁ ବାର୍ଷିକ ୧୦ ହଜାର ଟଙ୍କାଠୁ ଆରମ୍ଭ କରି ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ପୁରୁଣା ପେନସନ ଯୋଜନା ଆଦି ଗୁରୁତ୍ୱପୂର୍ଣ୍ଣ ଲୋଭନୀୟ ଅଫର ରହିଛି। ତେଣୁ ନିଜର ଲୋଭନୀୟ ଇସ୍ତାହାର ଓ ଗ୍ୟାରେଣ୍ଟିକୁ ଅସ୍ତ୍ର କରି ଦଳ ରାଜସ୍ଥାନରେ ବହୁ ଦିନର ଟ୍ରେଣ୍ଡ ଭାଙ୍ଗିବାକୁ ଉଦ୍ୟମକୁ ଜୋରଦାର କରିଛି।

ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଲ୍ଲଭନଗରରେ ଏକ ଜନସଭାକୁ ସମ୍ବୋଧିତ କରି ବିଜେପିକୁ ଟାର୍ଗେଟ କରିଛନ୍ତି। ବିଜେପିର ସିଷ୍ଟମ କିଭଳି କାମ କରେ ସେ କଥା ଲୋକଙ୍କୁ ବୁଝାଇଛନ୍ତି ରାହୁଲ।

ଘୃଣା ଯୋଗୁ ବେରୋଜଗାରୀ ଓ ମହଂଗାଇ ବଢୁଛି ବୋଲି କହିଛନ୍ତି ରହୁଲ ଗାନ୍ଧୀ। ବିଜେପିର ସିଷ୍ଟମ ଲୋକଙ୍କ ଧ୍ୟାନ ବେରୋଜଗାରୀ ଓ ମହଂଗାଇରୁ ହଟାଇବା ପାଇଁ ବୋଲି ସେ କହିଛନ୍ତି।

ଦେଶର ଗରିବଙ୍କୁ ଧନ ନ ମିଳି ସୋନାର ଚିଡିୟା ଦେଶର କୋଟିପତି ମାନଙ୍କ ପାଖକୁ କିଭଳି ଯିବ ତାହା ବିଜେପିର ଲକ୍ଷ ବୋଲି ରାହୁଲ କହିଛନ୍ତି। ସେହିଭଳି ଆଦିବାସୀଙ୍କୁ ବିଜେପି କିଭଳି ବନବାସୀ କହୁଛି ତାକୁ ନେଇ ସେ କଥା ରଖିଛନ୍ତି।

ସେପଟେ ବିଜେପିର ହେଭିୱେଟ ମାନେ ମଧ୍ୟ ରାଜସ୍ଥାନରେ ପ୍ରଚାର ଅଭିଯାନକୁ ଆହୁରି ତୀଵ୍ର କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଲଗାତର ପ୍ରଚାର କରୁଛନ୍ତି। ମୋଦି ଜୟପୁରରେ ରୋଡ଼ ଶୋ କରିଛନ୍ତି।

ରୋଡ଼ ଶୋ ମାଧ୍ୟମରେ ମୋଦି ବହୁ ଅଂଚଳ କଭର କରିଛନ୍ତି। ସେହିପରି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ପ୍ରମୁଖ ବିଜେପି ନେତାମାନେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।

ବିଜେପି ମଧ୍ୟ ପୂର୍ବରୁ ନିଜର ଇସ୍ତାହାର ପ୍ରକାଶ କରିସାରିଛି। ସେହିପରି ଗତକାଲି ମଧ୍ୟ ପ୍ରିୟଙ୍କା ଗାନ୍ଧୀ ରାଜସ୍ଥାନରେ ପ୍ରଚାର କରିବା ଅବସରରେ ବିଜେପି ଜାତି ଓ ଧର୍ମକୁ ନେଇ ରାଜନୀତି କରୁଥିବା କହିଥିଲେ।

ତେଣୁ ରାଜସ୍ଥାନରେ ପ୍ରଚାର ଶେଷ ହେବାକୁ ଆଉ ମାତ୍ର ଦୁଇଦିନ ବାକି ଥିବା ବେଳେ ପ୍ରମୁଖ ଦଳଗୁଡିକ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରିବାରେ ଲାଗି ପଡିଛନ୍ତି ।

Leave A Reply

Your email address will not be published.