Latest Odisha News

ସୁପ୍ରିମକୋର୍ଟରେ ଶେଷ ହେଲା ଅଯୋଧ୍ୟା ବିବାଦର ଶୁଣାଣି; ସଂରକ୍ଷିତ ରହିଲା ଐତିହାସିକ ରାୟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମିବିବାଦର ପାରିସମାପ୍ତି ଘଟିଛି ।ସୁପ୍ରିମକୋର୍ଟ ବୁଧବାର ଦିନ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ କରି ଏହାର ରାୟକୁ ସଂରକ୍ଷିତ ରଖିଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଇଥିବା ସମୟର ୧ ଘଣ୍ଟା ପୂର୍ବରୁ ଏହି ଶୁଣାଣି ଶେଷ ହୋଇଥିବା ‘ଟାଇମ୍ସ ଅଫ ଇଣ୍ଡିଆ’ ସୂତ୍ରରୁ ଜଣାପଡ଼ିଛି ।

ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଦୀର୍ଘ ୪୦ଦିନ ଯାଏଁ କ୍ରମାଗତ ଭାବେ ଉଭୟ ହିନ୍ଦୁ ଓ ମୁସଲମାନ ପକ୍ଷର ଯୁକ୍ତି ଶୁଣି ଆସୁଥିଲେ । ଅଦାଲତ ଉଭୟ ପକ୍ଷଙ୍କୁ ତିନିଦିନ ମଧ୍ୟରେ ଲିଖିତ ଭାବେ ନିଜ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଶେଷ ଶୁଣାଣି ଚାଲିଥିବାବେଳେ ସୁପ୍ରିମକୋର୍ଟର ସମ୍ବିଧାନିକ ୫ ଜଣିଆ ଖଣ୍ଡପୀଠ ସାମ୍ନାରେ ମୁସଲିମ ପକ୍ଷର ବରିଷ୍ଠ ଓକିଲ ରାଜୀବ ଧାୱନ ଅଯୋଧ୍ୟା ସହ ସମ୍ବଧିତ ଏକ ନକ୍ସା ଫାଡି ଦେଇଥିଲେ ।

ହିନ୍ଦୁ ପକ୍ଷ ଓକିଲ ବିକାସ ସିଂହ ଏକ ପୁସ୍ତକ ବିଷୟରେ କହି ଏକ ନକ୍ସା ଦେଖାଇଥିବା ବେଳେ ଏହି ନକ୍ସାକୁ ମୁସଲିମ ପକ୍ଷର ଓକିଲ ରାଜୀବ ଧାୱନ ଫାଡି ଦେଇଥିଲେ ।

ଏହାପରେ ଉଭୟ ପକ୍ଷର ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କ୍ଷୋଭ ପ୍ରକାଶ କରିବା ସହ ସନ୍ଧ୍ୟା ୫ ଟା ସୁଦ୍ଧା ଶୁଣାଣି ଶେଷ କରିବାକୁ ସମୟ ଧାର୍ଯ୍ୟ କରିଥିଲେ। ଧାର୍ଯ୍ୟ ସମୟର ଏକଘଣ୍ଟା ପୂର୍ବରୁ ଶୁଣାଣିକୁ ଶେଷ କରି ଏହାର ରାୟକୁ ସଂରକ୍ଷିତ ରଖାଯାଇଥିବା ନେଇ ୫ ଜଣିଆ ଖଣ୍ଡପୀଠ ସୂଚନା ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ଅଯୋଧ୍ୟା ଜମି ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଅଗଷ୍ଟ ୬ ତାରିଖରୁ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ । ଅକ୍ଟୋବର ୧୭ତାରିଖରେ ଏହି ବହୁ ଚର୍ଚ୍ଚିତ ଶୁଣାଣିର ଚୂଡାନ୍ତ ରାୟ ପ୍ରକାଶ ପାଇବାକୁ ଥିବାବେଳେ ଗୋଟିଏ ଦିନ ପୂର୍ବରୁ ଏହା ଶେଷ ହୋଇଛି ।

Comments are closed.