Latest Odisha News

BREAKING NEWS

ପୁଣିଥରେ ଅଯୋଧ୍ୟା ରାମ ମନ୍ଦିରକୁ ବମରେ ଉଡାଇଦେବାକୁ ମିଳିଲା ଧମକ

ଅଯୋଧ୍ୟା: ପୁଣିଥରେ ଅଯୋଧ୍ୟା ରାମ ମନ୍ଦିରକୁ ବମ୍ ରେ ଉଡାଇଦେବାକୁ ଧମକ ମିଳିଛି । ଏହି ଧମକ ଶ୍ରୀରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଆଇଡିକୁ ଇମେଲ୍ ମାଧ୍ୟମରେ ପଠାଯାଇଛି । ଏହା ପରେ ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି । ଉତ୍ତର ପ୍ରଦେଶ ସରକାର ମନ୍ଦିରର ସୁରକ୍ଷା ପାଇଁ ବହୁ ମାତ୍ରାରେ ପୋଲିସ ଅଧିକାରୀମାନଙ୍କୁ ନିୟୋଜିତ କରିଛନ୍ତି ।

ଟ୍ରଷ୍ଟର ଆକାଉଣ୍ଟାଣ୍ଟ ଏ ସମ୍ପର୍କରେ ସାଇବର ପୋଲିସ ଷ୍ଟେସନ ଅଯୋଧ୍ୟାରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପରେ, ସାଇବର ପୋଲିସ ଷ୍ଟେସନ୍ ଆଇଟି ଆକ୍ଟ ଏବଂ ବିଏନଏସର ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ଦାଖଲ ହୋଇଥିବା ଏଫଆଇଆରରେ କୁହାଯାଇଛି ଯେ, ମେଲ୍ ପଠାଇଥିବା ବ୍ୟକ୍ତି ନିଜକୁ ଆଇଏସଆଇ ସେଲ ତାମିଲନାଡୁର ଇନଚାର୍ଜ ଭାବରେ ପରିଚୟ ଦେଇଛନ୍ତି । ସେ ତାଙ୍କ ଇମେଲରେ ଲେଖିଛନ୍ତି ଯେ ତାମିଲନାଡୁରେ ଘଟିଥିବା ଠକେଇରୁ ଧ୍ୟାନ ହଟାଇବା ପାଇଁ ଏହି ଆକ୍ରମଣ କରାଯିବ ।

ରାମ ମନ୍ଦିର ସୁରକ୍ଷା ସହିତ ଜଡିତ ଜଣେ ଅଧିକାରୀଙ୍କ ଅନୁଯାୟୀ, ଏହି ଧମକର କୌଣସି ଗୁରୁତ୍ବ ନାହିଁ । ଏହା ସତ୍ତ୍ୱେ, ଏହି ଧମକକୁ ଗମ୍ଭୀରତାର ସହ ନେଇ, ଅଯୋଧ୍ୟା ଏବଂ ଅନ୍ୟାନ୍ୟ ସୀମାନ୍ତ ଜିଲ୍ଲାଗୁଡ଼ିକରେ ଏକ ବଡ଼ ଧରଣର ତଲାସୀ ଅଭିଯାନ କରାଯାଉଛି । ଏହି ସମସ୍ତ ଜିଲ୍ଲାରେ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସତର୍କ କରାଯାଇଛି । ସାଇବର ପୋଲିସ ଷ୍ଟେସନ ଅଯୋଧ୍ୟାରୁ ମିଳିଥିବା ଇନପୁଟ ଅନୁସାରେ, ଯେଉଁ କମ୍ପ୍ୟୁଟରରୁ ମେଲ ପଠାଯାଇଥିଲା ତାହାର IP ଠିକଣା ଟ୍ରେସ୍ କରାଯାଇଛି । ଏହି କମ୍ପ୍ୟୁଟରଟି ତାମିଲନାଡୁରେ ଅଛି । ଏବେ ସାଇବର ପୋଲିସ ଷ୍ଟେସନ୍ ମେଲ୍ ପଠାଇଥିବା ବ୍ୟକ୍ତିଙ୍କ ସ୍ଥାନ ଏବଂ ପରିଚୟ ଖୋଜିବା ଆରମ୍ଭ କରିଦେଇଛି । ଏଥିପାଇଁ, ଉତ୍ତର ପ୍ରଦେଶ ପୋଲିସ ଏବଂ ତାମିଲନାଡୁ ପୋଲିସ ଏକ ମିଳିତ ଅଭିଯାନ ଚଳାଇଛନ୍ତି ।

Comments are closed.